ଅଲମ୍ପିକସ ଯାଉଥିବା କ୍ରୀଡ଼ାବିତଙ୍କ ସହ କଥା ହେଲେ ନବୀନ, ଘୋଷଣା କଲେ ପୁରସ୍କାର ରାଶି

1 min read

ଭୁବନେଶ୍ୱର: ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲମ୍ପିକସ ରେ ଭାଗ ନେଉଥିବା ଓଡିଶାର ଅଲମ୍ପିୟାନ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି କଥା ହୋଇଛନ୍ତି  ।  କ୍ରୀଡ଼ାବୀତଙ୍କୁ ଉତ୍ସାହିତ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକସ ହେଉଛି ଜୀବନର ଶ୍ରେଷ୍ଠ ସ୍ଵପ୍ନ । ଏହି ଅବସରରେ ଅଲମ୍ପିୟାନ ଦୂତୀ ଚାନ୍ଦ , ପ୍ରମୋଦ ଭଗତ, ଦୀପ ଗ୍ରେସ ଏକ୍କା, ନମିତା ଟପ୍ପୋ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତୁମମାନେ ଓଡିଶାର ଯୁବ ସମାଜ ପାଇଁ ରୋଲମଡେଲ ପାଲଟିଯାଇଛ ।

ତୁମ ପରିବାର ପାଇଁ ଓ ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛ । କଠୋର ପରିଶ୍ରମ, ନିଷ୍ଠା ଓ ଶୃଙ୍ଖଳା ଦ୍ଵାରା ତୁମେମାନେ ନିଶ୍ଚୟ ପଦକ ଜିତିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ଅବସରରେ ଅଲମ୍ପିକସ ପଦକ ବିଜେତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ । ଟୋକିଓ ଅଲମ୍ପିକସରେ ସ୍ଵର୍ଣ୍ଣ ପଦକ ଜିତିଲେ ୬ କୋଟି ଟଙ୍କା , ରୌପ୍ୟ ପଦକ ଜିତିଲେ ୪ କୋଟି ଟଙ୍କା ଏବଂ କାଂସ୍ୟ ପଦକ ଜିତିଲେ ୨.୫ କୋଟି ଟଙ୍କା ରାଜ୍ୟ ସରକାରଙ୍କ ପଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ଅଲମ୍ପିକସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ପ୍ରତି ଖେଳାଳିଙ୍କ ପାଇଁ ଅଲମ୍ପିକ ପ୍ରସ୍ତୁତି ନିମନ୍ତେ ୧୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି  ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳି ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅଲମ୍ପିକ ରେ ସେମାନଙ୍କ ସଫଳତା କ୍ରୀଡା କ୍ଷେତ୍ରରେ ଓଡିଶାକୁ ଗୌରବ ମଣ୍ଡିତ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଖେଳାଳି ବ୍ୟକ୍ତିଗତ ଭାବରେ ସେମାନଙ୍କର ମତାମତ ଦେଇ ଅଲମ୍ପିକରେ ଭଲ ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି କହିଥିଲେ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଥିଲେ। ।

ଖେଳାଳି ମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(5T)  ଭି କେ ପାଣ୍ଡିଆନ ଖେଳାଳି ମାନଙ୍କ ଅଲମ୍ପିକସ ପ୍ରସ୍ତୁତି ଓ ଏଥି ନିମନ୍ତେ ସେମାନଙ୍କର ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଛନ୍ତି । କ୍ରୀଡା ବିଭାଗର ପ୍ରମୁଖ ସଚିବ  ବିଶାଳ ଦେବ ସ୍ଵାଗତ ଭାଷଣ ଦେଇଥିଲେ ଓ ସ୍ଵତନ୍ତ୍ର ସଚିବ  ଆର ଭିନିଲ କ୍ରିଷ୍ଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର , ଉନ୍ନୟନ କମିଶନର  ପି କେ ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ରହିଥିଲେ  ।

Leave a Reply