ଭୁବନେଶ୍ବର : ବିଜେଡି ବିଧାୟକଙ୍କୁ ନବୀନଙ୍କ ଟିପ୍ସ । ଲୋକଙ୍କ ସହ ରୁହ, ସମସ୍ୟା ଦୂର କର । ନିର୍ବାଚନ ମଣ୍ଡଳୀର ବିକାଶକୁ ଦେଖ । ଫୋକସରେ ତୃଣମୂଳ ସଂଗଠନ । ଏକତା ହିଁ ବଳ। ଲୋକଙ୍କ ସହ ଅଧିକ ଯୋଡିହୋଇ ନିର୍ବାଚନ ମଣ୍ଡଳୀର ବିକାଶ କାମକୁ ତଦାରଖ କର । ଯେଉଁଠି ସାଧାରଣ ଲୋକଟି ସମସ୍ୟାର ସମ୍ମୁଖୀନ ହେଉଛି ତାହାର ସମାଧାନ ବାଟ କାଢ । ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକ୍ରମ ବିରୋଧରେ ସଂଗ୍ରାମ ଜାରି ରଖ । ନବୀନ ନିବାସରେ ଦଳୀୟ ବିଧାୟକମାନଙ୍କ ସହ ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିବା ପରେ ଏପରି ଟିପ୍ସ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋମବାର ସଂନ୍ଧ୍ୟାରେ ୧୦ ଜଣ ବିଧାୟକଙ୍କ ସହ ନବୀନ ଆଲୋଚନା କରି ତୃଣମୂଳ ସଂଗଠନ ମଜବତୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ନେଇ ବିଜେଡି ବିଧାୟକ ଓ କର୍ମୀମାନେ ବେଶ ଉତ୍ସାହିତ ।
ନିର୍ବାଚିତ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀର ବିକାଶ କିପରି ଅଧିକ ତ୍ବରାନ୍ବିତ କରିବେ ତାହା ଉପରେ ବିରୋଧୀ ଦଳ ନେତା ଗୁରୁତ୍ବ ଦେଇଥିଲେ । ତୃଣମୂଳ ସ୍ତରରୁ ଏକଜୁଟ ହୋଇ ଲୋକଙ୍କ ପାଇଁ କାମ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହ ଆଗମୀ ଦିନର ରାଜନୈତିକ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି । ଓଡ଼ିଶାକୁ ନିଜର ପରିବାର ବୋଲି ଗ୍ରହଣ କରିଥିବା ନବୀନ ଶାସନରେ ଥିବା ବେଳେ ଯେମିତି ବିରୋଧୀ ଦଳରେ ଥାଇ ମଧ୍ୟ ସମାନ ଭୂମିକା ଲିଭାଉଛନ୍ତି । ଓଡିଶାବାସୀ ଓ ଓଡିଶାର ସ୍ବାର୍ଥ ପାଇଁ ବିଜେଡିର ସଂଗ୍ରାମ ଜାରି ରହିବ ବୋଲି ବିଧାୟକଙ୍କୁ ସଫାସଫା ଶୁଣାଇଛନ୍ତି ନବୀନ ।

