ଡିଭୋର୍ସ ପେପର୍, ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ SC ସାର୍ଟିଫିକେଟ୍ ନେଇ SC-ST ଆୟୋଗରେ ପହଞ୍ଚିଲେ ସମୀର ୱାଙ୍ଖେଡେ

1 min read

ମୁମ୍ବାଇ : ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେ ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସେଠାରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦାଖଲ କରିଛନ୍ତି । ପୂର୍ବରୁ ସମୀରଙ୍କ ବିରୁଦ୍ଧରେ କରାଯାଇଥିବା ଅଭିଯୋଗକୁ ନେଇ ତାଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସମସ୍ତ ଦସ୍ତାବିଜ୍ ସହ ଦିଲ୍ଲୀରେ ପହଞ୍ଚିଛନ୍ତି ଏନ୍‌ସିବି ଅଧିକାରୀ । ସେଠାରେ ସମସ୍ତ କାଗଜପତ୍ର ଦାଖଲ କରିବ ପରେ ବାହାରକୁ ଆସି ସମୀର କହିଛନ୍ତି, ‘ଆବଶ୍ୟକୀୟ କାଗଜପତ୍ର କମିଶନଙ୍କୁ ଦେଇଛି । ସେଗୁଡିକର ଯାଞ୍ଚ କରିବା ପରେ ଅନୁସୂଚିତ ଜାତି-ଜନଜାତି ଆୟୋଗ ରିପୋର୍ଟ ଦେବେ ।’

ଅନୁସୂଚିତ ଜାତି-ଜନଜାତି ଆୟୋଗ ଅଧ୍ୟକ୍ଷ ବିଜୟ ସାଂପଲା କହିଛନ୍ତି, ‘ସମୀର ଓ୍ବାଙ୍ଖେଡେ କାଗଜପତ୍ର ଦାଖଲ କରିଛନ୍ତି । ଏବେ ତାଙ୍କର ସମସ୍ତ ଦସ୍ତାବିଜର ଯାଞ୍ଚ ଜାରି ରହିଛି’ । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ବରିଷ୍ଠ ଏନ୍‌ସିପି ନେତା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ନଓ୍ବାବ ମଲିକ ଅଭିଯୋଗ କରିଥିଲେ ଯେ, ସମୀର ଓ୍ବାଙ୍ଖେଡେ ଜଣେ ମୁସଲମାନ । ଜାଲ ଜାତି ପ୍ରମାଣପତ୍ର ଦେଇ ସେ ଚାକିରି କରିଛନ୍ତି । ତେବେ ନଓ୍ବାବ ମଲିକଙ୍କ ଏହି ଅଭିଯୋଗକୁ ଦୃଢତାର ସହ ଖଣ୍ଡନ କରିଥିଲେ ସମୀର ଓ୍ବାଙ୍ଖେଡେ ।

ଦିଲ୍ଲୀ ସ୍ଥିତ ଅନୁସୂଚିତ ଜାତି-ଜନଜାତି ଆୟୋଗ କାର୍ଯ୍ୟାଳୟରେ ପହଞ୍ଚି ଜାତି ପ୍ରମାଣ ପତ୍ର, ପ୍ରଥମ ପତ୍ନୀଙ୍କ ଠାରୁ ହୋଇଥିବା ଛୁଆର ଜନ୍ମ ପ୍ରମାଣପତ୍ର ଏବଂ ଛାଡପତ୍ର ପ୍ରମାଣ ଦାଖଲ କରିଛନ୍ତି । ଏହା ସହିତ ଦ୍ବିତୀୟ ବିବାହର ପ୍ରମାଣପତ୍ର ମଧ୍ୟ ଦାଖଲ କରିଛନ୍ତି ସମୀର ଓ୍ବାଙ୍ଖେଡେ । କମିଶନ ଏବେ ଦସ୍ତାବିଜଗୁଡିକର ଯାଞ୍ଚ କରୁଛନ୍ତି ।

ସୂଚନାଯୋଗ୍ୟ, କ୍ରୁଜ୍‌ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ କରୁଛନ୍ତି ସମୀର ଓ୍ବାଙ୍ଖେଡେ । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଏବେ ଜାମିନରେ ବାହାରକୁ ଆସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ଜେରା କରୁଥିଲେ ସମୀର । ତେବେ ଏହି ମାମଲାକୁ ନେଇ ତମ୍ବିତୋଫାନ ଲାଗି ରହିଥିଲା । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନଓ୍ବାବ ମଲିକ, ସମୀର ଓ୍ବାଙ୍ଖେଡେଙ୍କ ଜାତିକୁ ଆକ୍ଷେପ କରିବା ସହିତ ପ୍ରଥମ ପତ୍ନୀଙ୍କୁ ନେଇ ଆରମ୍ଭ କରିଥିଲେ ଘମାସନ । ଏଥିରେ ସଂପୃକ୍ତ ନଥିବା ଏବଂ କୌଣସି ଉପାୟ ନପାଇ ଫସାଇବାକୁ ଉଦ୍ୟମ କରାଯାଉଥିବା​‌ କହିଥିଲେ ଏନ୍‌ସିବି ଅଧିକାରୀ ସମୀର ଓ୍ବାଙ୍ଖେଡେ ।

Leave a Reply