ନେପାଳରୁ ଉଦ୍ଧାର ହେଲେ ୨୩ ଜଣ ଓଡ଼ିଆ ଯାତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ : ନେପାଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ୨୩ ଜଣ ଓଡ଼ିଆ ଯାତ୍ରୀଙ୍କୁ ନେପାଳରୁ ଉଦ୍ଧାର କରି ଭାରତକୁ ଫେରାଇ ଅଣାଯାଇଛି। ସେମାନେ ନେପାଳ ଭ୍ରମଣରେ ଯାଇଥିଲେ ଏବଂ ସେଠାରେ ହିଂସାକାଣ୍ଡ ହେବା ପରେ ଫସି ରହିଥିଲେ। ଉକ୍ତ ଘଟଣାଟି ସାମନାକୁ ଆସିବା ପରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ, ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନେପାଳ କାଠମାଣ୍ଡୁ ସ୍ଥିତ ଭାରତର ଦୂତାବାସ କାର୍ଯ୍ୟାଳୟ, ରୋମାନିଆ ପାଇଁ ରହିଥିବା ଭାରତର ରାଷ୍ଟ୍ରଦୂତ ଡ଼. ମନୋଜ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲା। ସମସ୍ତଙ୍କ ମିଳିତ ସହଯୋଗରେ ନେପାଳରେ ଫସି ରହିଥିବା ୨୩ଜଣ ଓଡ଼ିଆ ଯାତ୍ରୀମାନଙ୍କୁ ନେପାଳରୁ ଭାରତକୁ ଫେରାଇ ଅଣାଯାଇଅଛି। ନେପାଳରେ ଫସିଥିବା ବହୁ ଭାରତୀୟ ବି ଦେଶକୁ ଫେରିବାକୁ ଚେଷ୍ଟା କରୁଛନ୍ତି। କିଏ ବୁଲିବାକୁ ଯାଇଥିଲା ତ କିଏ ସେଠାରେ କାମ କରୁଛି। ଆଉ କିଏ ବେପାର କରିବାକୁ ପ୍ରାୟତଃ ନେପାଳ ଯାଆନ୍ତି। ଏବେ ସ୍ଥିତି ବିଗିଡ଼ିଥିବାରୁ ଫେରିବାକୁ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତକାଲିଠୁ କାଠମାଣ୍ଡୁ ଏୟାରପୋର୍ଟ ଖୋଲିଛି। ବିମାନ ଚଳାଚଳ ପୁରାପୁରି ସ୍ଵାଭାବିକ ହୋଇ ନାହିଁ। ତଥାପି ବିମାନ ଜରିଆରେ ଦେଶକୁ ଫେରିବାକୁ ଲୋକେ ଅପେକ୍ଷା କରିଛନ୍ତି।  ନେପାଳ ଆର୍ମି ପକ୍ଷରୁ ସୀମାରେ ଦେଶବ୍ୟାପୀ କଟକଣା ଜାରି କରିଥିବାବେଳେ ଭାରତ-ନେପାଳ ସୀମାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ନେପାଳରେ ରହୁଥିବା ଭାରତୀୟଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି। ଭାରତ ସରକାରଙ୍କ ପକ୍ଷରୁ ହେଲପଲାଇନ ନମ୍ବର 977 – 980 860 2881 ଏବଂ  977  981 032 6134 ଜାରି କରାଯାଇଛି। ବହୁ ବିମାନ ଚଳାଚଳ ବି ବାତିଲ ହୋଇଛି। ପଶ୍ଚିମବଙ୍ଗ ଦାର୍ଜିଲିଂସ୍ଥିତ ପେନିତାଙ୍କିରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି।