ବଦଳିବ କଟକ ଡିଅର ପାର୍କର ଠିକଣା

କଟକ: କଟକ ମହାନଗର ନିଗମ ଦ୍ଵାରା ପରିଚାଳିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ହରିଣ ପାର୍କ ଏବେ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛି । ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ଆସିଥିବା ୧୦ ଜଣିଆ ଅଭିଜ୍ଞ ଦଳ ଏହି କାର୍ଯ୍ୟରେ ଲାଗିଛନ୍ତି । ହରିଣଙ୍କ ସ୍ୱାସ୍ଥ ପରୀକ୍ଷା ପାଇଁ ଜଣେ ଡାକ୍ତର ମଧ୍ୟ ଅଛନ୍ତି । ହରିଣ ମାନଙ୍କୁ ନେବାକୁ ଖାଦ୍ୟ ଦିଆଯିବା ସହିତ ଏକ ତାରଘେରା ଗଳି ବାଟ କରାଯାଇଛି । ଖାଦ୍ୟ ଖାଇ ଖାଇ ସେମାନେ ରେସକ୍ୟୁ ଭ୍ୟାନକୁ ପ୍ରବେଶ କରୁଛନ୍ତି । ଗୋଟିଏ ଥରରେ ୧୩ ରୁ ୨୫ପର୍ଯ୍ୟନ୍ତ ହରିଣ ସ୍ଥାନାନ୍ତର ହେଉଛନ୍ତି । ବର୍ତ୍ତମାନ ପାର୍କରେ ପ୍ରାୟ ୨୪୦ରୁ ୨୫୦ ହରିଣ ଅଛନ୍ତି । ଚନ୍ଦକା ଅଭୟାରଣ୍ୟରେ ଏକ ସ୍ପେଶାଲ ଏକକ୍ଲୋଜରରେ ଛଡା ଯାଉଛି । ସେଠାରେ ଏକ ବିସ୍ତ୍ରିର୍ଣ୍ଣ ଅଞ୍ଚଳରେ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସ୍ଥାନାନ୍ତର ଦାୟିତ୍ୱ ରେ ଥିବା ଏସିଏଫ ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ନନ୍ଦିଘୋଷକୁ ସୂଚନା ଦେଇଛନ୍ତି ।

ଦୀର୍ଘ ବର୍ଷ ହେବ ସିଏମସି ଦ୍ଵାରା ଏହି ହରିଣ ପାର୍କଟି ପରିଚାଳିତ ହୋଇଆସୁଥିଲା । ତେବେ ସଂକୁଚିତ ସ୍ଥାନରେ ଏତେ ସଂଖ୍ୟାରେ ହରିଣଙ୍କ ରହଣିନେଇ ଜୁ ଅଥରିଟି ଅଫ ଇଣ୍ଡିଆ କଟକଣା ଜାରି କରିବା ସହିତ ଲାଇସେନ୍ସଟି ବାତିଲ କରିଦେଇଥିଲେ । ଏଥି ସହିତ ଏହି ପାର୍କ ଦେଇ ୬ ଲେନ ରାସ୍ତା ଯିବାର ଯୋଜନା ଥିବାରୁ ପାର୍କ ରହିବା ସମ୍ଭବପର ହୋଇପାରିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ସିଏମସି ଆଲୋଚନା କରିବା ପରେ ଏହି ପଦକ୍ଷେପ ନେଇଛି । ରାସ୍ତା ଯିବା ପରେ ଅବଶିଷ୍ଟ ଜମିରେ ଯଦି ପାର୍କ ହେବା ସମ୍ଭବ ହେବ ତେବେ ସେ ନେଇ ଜୁ ଅଥରିଟିଙ୍କୁ ଚିଠି ଲେଖାଯିବ ବୋଲି ସିଏମସି କମିଶନର କହିଛନ୍ତି ।