ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି ରୋକିବାକୁ ସ୍ବତନ୍ତ୍ର ଆପ୍

ଭୁବନେଶ୍ବର: ରାଜଧାନୀରେ ପୋଲିସ ଆଖିରୁ ନିଦ ହଜାଇ ଦେଇଛି ବିଭିନ୍ନ ଆପାର୍ଟମେଣ୍ଟରୁ ଲୁଟ ଘଟଣା। ବାରମ୍ବାର ଚୋରି ପରେ ଏବେ ସଜାଗ ହୋଇଛି ପୋଲିସ। ଚୋରି ରୋକିବା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆପ୍। ଚୋରି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଆପାର୍ଟମେଣ୍ଟ ସିକ୍ୟୁରିଟି ନେଇ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ରାଜଧାନୀରେ ବଢୁଥିବା ଆପର୍ଟମେଣ୍ଟ ଲୁଟ କମିଶନରେଟ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ଗତ ୬ ମାସ ଭିତରେ ରାଜଧାନୀର ପାଖାପାଖି ୩୦ଟି ଆପାର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳା କନା ବୁଲାଇ ସାରିଲେଣି ଲୁଟେରା। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କୁ ଧରିବା ପାଇଁ ସକ୍ଷମ ହୋଇନି ପୋଲିସ। ଏଥିପାଇଁ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୋଲିସ ଅଧିକାରୀ ଓ ଥାନା ଅଧିକାରୀଙ୍କ ସହ ବୈଠକ ହୋଇଥିଲା।

ରବିବାର ବିଭିନ୍ନ ଆପାର୍ଟମେଣ୍ଟର ସଭାପତି, ସମ୍ପାଦକ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ସଂଜୀବ ପଣ୍ଡା। ଆପର୍ଟମେଣ୍ଟ ଲୁଟକୁ ରୋକିବାକୁ ପ୍ରସ୍ତୁତ ହେଉଛି ପୋଲିସ। ସୁରକ୍ଷା ବ୍ୟବସ୍ଥାକୁ କିଭଳି ମଜବୁତ୍ କରିହେବ, ତାକୁ ନେଇ ବୈଠକରେ ଆଲୋଚନା ହେଇଛି। ଆପର୍ଟମେଣ୍ଟରେ ଭଲ କ୍ୱାଲିଟିର ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି। ଖରାପ କ୍ୱାଲିଟି କ୍ୟାମେରା ଲଗାଇଲେ ଭଲ ଫଟୋ ଆସିପାରୁନାହିଁ। ଯାହା ଫଳରେ ଲୁଟେରା ଚିହ୍ନଟ ହୋଇପାରୁନାହାନ୍ତି। ଏଥିସହ ପାରିପାର୍ଶ୍ବିକ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେବାକୁ କହିଛନ୍ତି ପୋଲିସ କମିଶନର। ଉଚ୍ଚ ପାଚେରୀ କରିବା ସହ ପାଚେରୀ ଉପରେ ତୀକ୍ଷଣ ଲୁହା ଫ୍ରେମ ଲଗାଇବାକୁ ଅନୁରୋଧ କରିଛନ୍ତି ।

ଆପାର୍ଟମେଣ୍ଟରେ ପର୍ଯ୍ୟାପ୍ତ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି। ଟେକ୍ନୋଲୋଜିର ବ୍ୟବହାର ପାଇଁ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର। ବିଭିନ୍ନ ଅତ୍ୟାଧୁନିକ ମୋସନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ଏହାସହ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରହିବା ଆବଶ୍ୟକ। ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ଗାର୍ଡ। ପ୍ରତି ଫ୍ଲାଟରେ ଆଇପି କ୍ୟାମେରା ଲଗାଇବାକୁ ଅନୁରୋଧ କରାଯାଇଛି। ଘର ଛାଡ଼ି ଗଲେ କିଏ ଆସିଛି ଓ ଯାଇଛି, ତାହା ଆଇପି କ୍ୟାମେରା ସାହାଯ୍ୟରେ ଲାଇଭ ଜାଣିପାରିବେ ଘର ମାଲିକ।