ନୂଆଦିଲ୍ଲୀ : କରୋନା ମହାମାରୀର ୫ ବର୍ଷ ପରେ ଚୀନରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍’ ବା HMPV । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏଥିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭିଡ଼ ଜମିଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୋନା ଭଳି HMPV ମଧ୍ୟ ଶ୍ବାସକ୍ରିୟାକୁ ସଂକ୍ରମିତ କରୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଭୂତାଣୁ ଦ୍ରୁତବେଗରେ ସଂକ୍ରମିତ ହେଉଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଏପରି କି ଚୀନ ସରକାର ଏଥିପାଇଁ ଜରୁରୀପରିସ୍ଥିତି ଘୋଷଣା କରିଥିବା କେତେକ ସାମାଜିକ ଗଣମାଧ୍ୟମରେ କୁହାଯାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଚୀନର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ କରାଯାଇଛି। ଏପରିକି ବିଭିନ୍ନ ରାଜ୍ୟ ସୀମାକୁ ବନ୍ଦ କରାଯାଇଛି। ତେବେ ଏ ନେଇ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ରିପୋର୍ଟ ଅନୁସାରେ, ଡିସେମ୍ବର ୧୬ରୁ ୨୨ ତାରିଖ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। ଚୀନର ରୋଗ ନିୟନ୍ତ୍ରଣ ଏବଂ ନିରୋଧକ ପ୍ରାଧିକରଣ ଏହି ମାମଲାର ଯାଞ୍ଚ କରିବା ସହ ଲ୍ୟାବ୍ ରିପୋର୍ଟିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଏଥିରେ ଆକ୍ରାନ୍ତ ଲୋକଙ୍କର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଉଛି । ସଂକ୍ରମିତଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଛି। କରୋନା ଭଳି ଜ୍ବର ଆସୁଥିବା କୁହାଯାଉଛି। ସ୍ବାସ୍ଥ୍ୟା ଅଧିକାରୀ ସ୍ଥିତି ଉପରେ ନଜର ରଖିଛନ୍ତି। ଏକ ମିଡିଆ ରିପୋର୍ଟ ଅନୁସାରେ ଏହି ଭାଇରାସ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା । ଏହା ସାଧାରଣତଃ ୧୪ ବର୍ଷରୁ କମ ବୟସର ପିଲା ମାନଙ୍କ ଠାରେ ଦେଖାଦିଏ । ଛୋଟ ପିଲା, ବୟସ୍କ ବ୍ୟକ୍ତିମାନଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ।
HMPV ର ଲକ୍ଷଣଗୁଡିକ କ’ଣ?
ଫ୍ଲ୍ୟୁ ଏବଂ ଅନ୍ୟାନ୍ୟ ଶ୍ବାସକ୍ରିୟା ସଂକ୍ରମଣ ସହିତ HMPV ର ଲକ୍ଷଣ ସମାନ । ସାଧାରଣ ଲକ୍ଷଣ ମଧ୍ୟରେ କାଶ, ଜ୍ୱର, ନାକ ସଂକ୍ରମଣ ଏବଂ ନିଶ୍ୱାସ ପ୍ରଶ୍ୱାସ ଅନ୍ତର୍ଭୁକ୍ତ । ଗୁରୁତର ଅବସ୍ଥାରେ ଏହି ଜୀବାଣୁ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଜଟିଳତା ସୃଷ୍ଟି କରିପାରେ । HMPV ପାଇଁ ଇନକ୍ୟୁବେସନ ଅବଧି ସାଧାରଣତ ତିନିରୁ ଛଅ ଦିନ ମଧ୍ୟରେ ହୋଇଥାଏ ।
କ’ଣ କରିବା ଦରକାର ?
ଅତିକମରେ ୨୦ ସେକେଣ୍ଡ ଯାଏଁ ସାବୁନ ଏବଂ ପାଣିରେ ହାତ ଧୁଅନ୍ତୁ ।
କାଶ କିମ୍ବା ଛିଙ୍କିବା ସମୟରେ ପାଟି ଏବଂ ନାକକୁ ଘୋଡାନ୍ତୁ ।
ମାସ୍କ ପିନ୍ଧିବା ସହ ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।
ଧୋଇ ନ ଧୋଇ ଆଖି, ନାକ ଏବଂ ପାଟିକୁ ଛୁଅଁନ୍ତୁ ନାହିଁ ।
ବର୍ତ୍ତମାନ, HMPV ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିଭାଇରାଲ୍ ଥେରାପି କିମ୍ବା ଟିକା ନାହିଁ ।

