ନିଗମ ଓ ବୋର୍ଡ ନିଯୁକ୍ତିକୁ ନେଇ ବିଜେପିର ଚାଲିଛି ଅଙ୍କକଷା

ଭୁବନେଶ୍ବର : ଖୁବ୍ ଶୀଘ୍ର ଆସିବ ବିଜେପି ସରକାରର ନିଗମ, ବୋର୍ଡ଼ର ପ୍ରଥମ ତାଲିକା। ଅଗଷ୍ଟ ୧୫ରୁ ଅଗଷ୍ଟ ୨୦ ମଧ୍ୟରେ ଏହା ଆସିପାରେ ବୋଲି ରାଜ୍ୟ ସଭାପତି ସୂଚନା ଦେବା ପରେ ଏବେ ତାଲିକାକୁ ନେଇ ଚର୍ଚ୍ଚା। ତାଲିକାରେ କାହା ନାଁ ଅଛି, କାହାକୁ ମିଳିଛି କେଉଁ ଦାୟିତ୍ବ ? ଏସବୁକୁ ନେଇ ଦଳୀୟ ମହଲରେ ଆଲୋଚନା ଚାଲିଥିବା ବେଳେ ଗଣମାଧ୍ୟମରେ ଆଗରେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି ନେତାମାନେ। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ଼ ସହ ରାଜ୍ୟ ବିଜେପି ଟିମ୍ ବି ଖୁବ୍ ଶୀଘ୍ର ଗଢାଯିବ। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହେଲାଣି। …

ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଆଶା କରିଛନ୍ତି। ସମୀକ୍ଷକଙ୍କ କହିବା କଥା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ଅପେକ୍ଷା କରାଯାଇଛି। ଏଥିରେ ଓଡ଼ିଶା ବଡ଼ ଭୂମିକା ନିଭାଇବାକୁ ଯାଉଥିବାରୁ ତାଲିକା ବଦଳିବାର ସମ୍ଭାବନା ମଧ୍ୟ ରହିଛି। ଚୟନରେ ପ୍ରଥମେ ପ୍ରାଥମିକତା ଦିଆଯିବ ଦଳୀୟ ଆନୁଗତ୍ୟକୁ। ଏହା ପରେ ନିଜ ଅଞ୍ଚଳରେ ଦବଦବା ରଖୁଥିବା ପରାଜିତ ପ୍ରାର୍ଥୀ ଏବଂ ସବା ଶେଷରେ ଅନ୍ୟ ଦଳରୁ ଆସିଥିବା ନେତାମାନଙ୍କ କଥା ବିଚାରକୁ ନିଆଯିବ। ଅସନ୍ତୁଷ୍ଟଙ୍କୁ ମନାଇବା, ପରାଜିତ ପ୍ରାର୍ଥୀଙ୍କୁ ଥଇଥାନ କରିବା ଯେତିକି ଗୁରୁତ୍ବପୂର୍ଣ୍ଣ, ଦଳୀୟ ଆନୁଗତ୍ୟ, ଦକ୍ଷତା ଓ ଅଭିଜ୍ଞତାକୁ ପ୍ରାଧାନ୍ୟ ଦେବା ସେତିକି ଆବଶ୍ୟକତା ରହିଛି।