ନାଇଜେରିଆରେ ବ୍ୟାନ୍, ଭାରତରେ ବିବାଦ

ଟୁଇଟର ଓ ଭାରତ ସରକାରଙ୍କ ମଝିରେ ବିବାଦ ଥମିବାର ନାଁ ଧରୁନି । ଭାରତ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର କରୁଛି ଅବମାନନା । ଟ୍ୱିଟରକୁ ଶନିବାର ଭାରତ ସରକାର ଅନ୍ତିମ ଚେତାବନୀ ମଧ୍ୟ ଦେଇଛନ୍ତି । ସରକାର କହିଛନ୍ତି ନିୟମ ମାନ ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ । ଭାରତ ସରକାରଙ୍କ କହିବା ହେଉଛି, ଅଭିଯୋଗ ଶୁଣାଣି ପାଇଁ ଟ୍ୱିଟର ଖୁବଶିଘ୍ର ଜଣେ ସ୍ଥାନୀୟ ଅଭିଯୋଗ ଅଧିକାରୀ ଓ ଜଣେ ନୋଡାଲ ଯୋଗାଯୋଗ ଅଫିସରଙ୍କୁ ନିଯୁକ୍ତି କରୁ ଓ ସେ ବିଷୟରେ ସରକାରଙ୍କ ସହ ଆଲୋଚନା ମଧ୍ୟ କରୁ । କିନ୍ତୁ ଭାରତ ସରକାରଙ୍କ କଥା ମାନିବା ପରିବର୍ତ୍ତେ ଲାଗୁଛି ସ୍ୱଘୋଷିତ ସ୍ୱାଧିନ ଅଭିବ୍ୟକ୍ତିର ପତାକାଧାରୀ ଟ୍ୱିଟର ଭାରତ ସରକାରଙ୍କ କ୍ଷମତା ଓ ଦେଶର ସାର୍ବଭୌମତ୍ୱକୁ ଚ୍ୟାଲଂଜ୍ କରୁଛି । ଟ୍ୱିଟର ଯେଉଁଭଳି ଭାବେ ମନମାନି କରୁଛି ସେଥିରୁ ଅତିକମରେ ଏହାହିଁ ଲାଗୁଛି ।

ଉଦାହରଣ ଭାବେ ଶନିବାରର ଘଟଣାକ୍ରମକୁ ନିଅନ୍ତୁ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ଦୁଇ ଘଣ୍ଟା ପାଇଁ ବ୍ଲୁଟିକ୍ ହଟାଇବା ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟକୁ ଅନ୍ ଭେରିଫାଇଡ୍ କରିଦେଇଛି । ଅର୍ଥାତ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିଯାଇଛି । କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ଯ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ଯ୍ୟବାହକ ସୁରେଶ ସୋନି ଓ ସର କାର୍ଯ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଠ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।

ଏବେ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ସେହି ଏକା କାରଣରୁ ହଟାଯାଇଥିବା ଅନୁମାନ କରାଯାଉଛି । କାରଣ ଭଗବତଙ୍କ ଆକାଉଣ୍ଟ୍ ୨୦୧୯ରେ ତିଆରି ହୋଇଥିଲା କିନ୍ତୁ ଗତ ୬ମାସରୁ ଅଧିକ ଦିନ ଧରି ଏହା ନିଷ୍କ୍ରିୟ ଅଛି । ଟ୍ୱିଟରର ନୀତିକୁ ନେଇ କେବଳ ଭାରତ ସରକାର ଅସନ୍ତୁଷ୍ଟ ବୋଲି କହି ହେବ ନାହିଁ । ଖୋଦ ଟ୍ୱିଟରର ଘର ଆମେରିକାରେ ମଧ୍ୟ ଅସନ୍ତୋଷ ରହିଛି । ଆମେରିକାରେ ଟ୍ୱିଟର ଯେମିତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଇଡିକୁ ବ୍ଲକ୍ କରିଛି ତାକୁ ନେଇ ବିବାଦ ରହିଛି । ଟ୍ରମ୍ପଙ୍କ ଆକାଉଣ୍ଟ୍ ବ୍ଲକ୍ କରି ଟ୍ୱିଟର ତାଙ୍କ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାରର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ହେଉଛି । ଏହି ଅଭିଯୋଗରେ କିଛିଟା ସତ୍ୟତା ମଧ୍ୟ ରହିଛି । ପ୍ରଶ୍ନ ହେଉଛି,ଟ୍ୱିଟର ଆରମ୍ଭ ହୋଇଥିଲା ଲୋକଙ୍କୁ ନିଜ ଭାବନା ପ୍ରକାଶ ପାଇଁ ପ୍ଲାଟଫର୍ମ ଦେବାର ଘୋଷଣା ସହିତ । କିନ୍ତୁ ପ୍ରଶ୍ନ ହେଉଛି ଜଣକ ମତ ଠିକ୍ ନୁହେଁ ବୋଲି କହିବାକୁ ଟ୍ୱିଟର କିଏ ? ଟ୍ୱିଟର ବାମପନ୍ଥୀଙ୍କ ଆଡ୍ଡା ପାଲଟିଛି ବୋଲି ଅଭିଯୋଗ ହେଉଛି । ଟ୍ୱିଟରରେ ଦକ୍ଷୀଣପନ୍ଥୀଙ୍କ କଣ୍ଠରୋଧ ହେଉଛି । ସେମାନଙ୍କୁ ବ୍ଲକ୍ କରାଯାଉଛି । ଯଦି ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ସମସ୍ତଙ୍କ ପାଇଁ ସମାନ ତେବେ ଏହି ଭେଦଭାବ କ’ଣ ପାଇଁ ?

ନିକଟରେ ନାଇଜେରିଆ ମଧ୍ୟ ଟ୍ୱିଟରକୁ ନିଜ ଦେଶରେ ବ୍ୟାନ୍ କରିଛି । କାରଣ ହେଉଛି ଯେ, ଏହା ସେଠାକାର ରାଷ୍ଟ୍ରପତିଙ୍କ ଗୋଟିଏ ଟ୍ୱିଟକୁ ଡିଲିଟ୍ କରି ଦେଇଥିଲା । ଟ୍ୱିଟର ପକ୍ଷରୁ ଡିଲିଟ୍ କରିବାର କାରଣ ରଖା ଯାଇଥିଲା । କୁହାଯାଇଥିଲା ଯେ, ଏହା ତା’ର କମ୍ୟୁନିଟି ଗାଇଡ୍ ଲାଇନ ଉଲ୍ଲଂଘନ କରୁଛି । ନାଇଜେରିଆ ରାଷ୍ଟ୍ରପତିଙ୍କ ଟ୍ୱିଟ୍ ଗୋଟିଏ ସମୁଦାୟର ଭାବନାକୁ ଆହତ କରିଛି । ତେବେ ରାଷ୍ଟ୍ରପତି କ’ଣ ଟ୍ୱିଟ୍ କରିଥିଲେ ? ନାଇଜେରିଆରେ ସକ୍ରିୟ ଥିବା ବିଛିନ୍ନତାବାଦୀଙ୍କୁ ସେଠାକାର ରାଷ୍ଟ୍ରପତି ସମାଲୋଚନା କରିଥିଲେ । ଗୋଟିଏ ସ୍ୱାଧୀନ ଦେଶର ରାଷ୍ଟ୍ରପତି ଭାବେ ନିଜ ଦେଶର ସାର୍ବଭୌମତ୍ୱର ରକ୍ଷା କରିବା ତାଙ୍କ କର୍ତ୍ତବ୍ୟ । ଟ୍ୱିଟର ହିସାବରେ ଯଦି ରାଷ୍ଟ୍ରପତିଙ୍କ ଗୋଟିଏ ଟ୍ୱିଟ୍ କିଛି ଲୋକଙ୍କ ଭାବନାକୁ ବାଧିତ କରୁଥିଲା ତେବେ ତାଙ୍କୁ ବ୍ୟାନ୍ କରିବା କ’ଣ ତାଙ୍କ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ଉପରେ ଆକ୍ରମଣ ନୁହେଁ କି ?

ଚୀନ୍ ଭଳି ଦେଶରେ ଟ୍ୱିଟର ନାହିଁ । ସେଠାରେ ଟ୍ୱିଟରର ଚାଇନା ଭର୍ସନ୍ ୱେଇବୋ ରହିଛି । ଟ୍ୱିଟର ଯଦି ସେଠାରେ ଅପରେସନ୍ ଚଳାଉଥାନ୍ତା ତେବେ ଚୀନ୍ ସରକାରଙ୍କୁ ସମାଲୋଚନା କରୁଥିବା ଆକାଉଣ୍ଟକୁ ଚାଲିବାକୁ ଦେଇଥାନ୍ତା କି ? ଏହାର ଉତ୍ତର ଏତେ ସିଧା ନୁହେଁ । ହୁଏତ ଟ୍ୱିଟର ସେଠାରେ ନିଜ ରୁଲ୍ ଅଫ୍ ଏନଗେଜମେଣ୍ଟ୍ ବଦଳାଇ ଦେଇଥାନ୍ତା । କାରଣ ଟ୍ୱିଟର ଭଲ ଭାବେ ଜାଣିଛି ଯେ, ଚୀନ କମ୍ୟୁନିଷ୍ଟ ସରକାର ତାକୁ ଏଣ୍ଟରଟେନ୍ କରିବ ନାହିଁ । ଆମେରିକୀୟ ଟେ୍କ ଓ ସୋସିଆଲ ମିଡିଆ କମ୍ପାନୀଙ୍କ ଦୋମୁହାଁ ନୀତିର ଆଉ ଗୋଟିଏ ଉଦାହରଣ ନିଅନ୍ତୁ । ଶୁକ୍ରବାର ଦିନ ୧୯୮୯ ଚୀନର ତିଆନମେନ୍ ସ୍କୋୟାର ବିଦ୍ରୋହକୁ ୩୨ ବର୍ଷ ପୁରିଛି । ସେହିଦିନ ମାଇକ୍ରୋସଫଟର ବିଙ୍ଗୋ ସର୍ଚ୍ଚ ଇଂଜିନରେ କିଛି ବ୍ୟକ୍ତି ଟ୍ୟାଙ୍କ ମ୍ୟାନ୍ ସର୍ଚ୍ଚ କରିଥିଲେ । କିନ୍ତୁ ସେମାନେ ସେହି ପ୍ରସିଦ୍ଧ ଚିତ୍ର ଯେଉଁଥିରେ ଟ୍ୟାଙ୍କ୍ ଆଗରେ ଜଣେ ବ୍ୟକ୍ତି ଛିଡା ହୋଇଥିବାର ଦୁନିଆ ୩୨ ବର୍ଷ ତଳେ ଦେଖିଥିଲା,ତାହା ଦେଖି ପାରିନଥିଲେ । କାରଣ ତାହା ଆଉ ନଥିଲା ।

ମାଇକ୍ରୋସଫ୍ଟ କହିଲା ମାନବୀୟ ତ୍ରୁଟିରୁ ଏମିତି ହୋଇଛି । କିନ୍ତୁ ସତ ହେଉଛି ଚୀନ ଭଳି ବଡ ବଜାରର ମାଲିକ ଚୀନ କମ୍ୟୁନିଷ୍ଟ୍ ପାର୍ଟିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ମାଇକ୍ରୋସଫ୍ଟ ଏହି ଫଟୋକୁ ହଟାଇ ଦେଇଥିଲା । ଅବଶ୍ୟ ବିରୋଧ ପରେ ପୁଣିଥରେ ବିଙ୍ଗୋ ସର୍ଚ୍ଚ ଇଂଜିନକୁ ଟ୍ୟାଙ୍କ ମ୍ୟାନଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଏଇଥିରୁ ଜଣା ପଡୁଛି ଆମେରିକୀୟ ଟେକ୍ କମ୍ପାନୀଙ୍କ ସ୍ୱାଧିନ ଅଭିବ୍ୟକ୍ତି ସ୍ଲୋଗାନ୍ କେତେ ଫମ୍ପା । ଏଥର ଆସନ୍ତୁ କେଉଁ ପରିସ୍ଥିତିରେ ଟ୍ୱିଟର ବ୍ଲୁଟିକ୍ ହଟାଇ ଥାଏ । ଟ୍ୱିଟର ବିନା ନୋଟିସରେ ଗୋଟିଏ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଇ ପାରେ । ବ୍ଲୁ ଭେରିଫାଇଡ୍ ବ୍ୟାଜ୍ ଓ ଭେରିଫାଇଡ୍ ଷ୍ଟାଟସ ହଟାଇବା ପାଇଁ ଟ୍ୱିଟର ନୋଟିସ ଦେବାକୁ ବାଧ୍ୟ ନୁହେଁ । କୌଣସି ଆକାଉଣ୍ଟ ନିଜ ନାମ ବଦଳାଇଲେ କିମ୍ବା ନିଷ୍କ୍ରିୟ ରହିଲେ ଅଥବା ଯଦି ଆକାଉଣ୍ଟ ଅସମ୍ପୂର୍ଣ୍ଣ ରହିଥାଏ ତେବେ ଟ୍ୱିଟର ବ୍ଲୁଟିକ୍ ହଟାଇ ଦେଇଥାଏ । କମ୍ପାନୀ ଅନୁସାରେ ବ୍ଲୁ ଟିକ୍ ହଟାଇବା ଅର୍ଥ ହେଉଛି ଆକାଉଣ୍ଟ୍ ଜନହିତ ସହ ଜଡିତ ଓ ଏହା ଏକ ବାସ୍ତବିକ ଆକାଉଣ୍ଟ ।

Leave a Reply