ଏଥର ଦୀପାବଳିରେ ବାଣ ମନା, ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ

ଭୁବନେଶ୍ୱର: କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି । ହେଲେ ବିପଦ ଟଳିନି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ନଚେତ୍ ପୁନଃସଂକ୍ରମଣ ହେବ । ଶୀତଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ଚଳିତ ଥର ଦୀପାବଳିରେ ବାଣ ଫୁଟିବ ନାହିଁ । ବାଣ ଫୁଟାଇବା ଦ୍ୱାରା ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ, ସଲଫର ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ ଭଳି ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଯାହା ଶ୍ୱାସ ଜନିତ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଗୃହ ପୃଥକବାସରେ ଥିବା କୋଭିଡ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ସମସ୍ୟାକୁ ଅଧିକ ବଢାଇଦେବ । ତେଣୁ ଆସନ୍ତା ୧୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବାକୁ ରାଜ୍ୟ ସରକାର ନିଷେଧ କରିଛନ୍ତି । କୌଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣଫୁଟା ନିଷେଧ କଟକଣାକୁ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ତଥା ଅନ୍ୟ ସମ୍ପୃକ୍ତ ନିୟମର ଧାରା ଅନୁଯାୟୀ ଦଣ୍ଡିତ ହେବେ । ଏଥିପାଇଁ ପ୍ରଶାସନ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply