ରଥଯାତ୍ରା ପୂର୍ବରୁ ପୁରୀରେ NSG ଟିମର ସମୀକ୍ଷା

ପୁରୀ : କଡ଼ାକଡ଼ି ହେଉଛି ଶ୍ରୀମନ୍ଦିର ସୁରକ୍ଷା ବ୍ଯବସ୍ଥା । ରଥଯାତ୍ରା ପୂର୍ବରୁ ଯାଞ୍ଚ କଲେ ଏନଏସଜି ଟିମ୍ । ବଡ ଦେଉଳର ଭିତର ଓ ବାହାର ସୁରକ୍ଷା ସ୍ଥିତି ଯାଞ୍ଚ । ପ୍ରଶାସନ ଓ ପୋଲିସ ସହ ଆଲୋଚନା । ପହଲଗାଓଁ ଆତଙ୍କୀ ଘଟଣା ପରେ ଦେଶର ବିଭିନ୍ନ ତୀର୍ଥ ଓ ପର୍ଯ୍ୟଟନ ସ୍ଥଳ ସୁରକ୍ଷା ବ୍ଯବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ପୁରୀରେ ଆଗକୁ ରଥଯାତ୍ରା ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିର ରଖି ଏନଏସଜି ଟିମ ପହଞ୍ଚି ସ୍ଥିତିର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା ସମେତ ଭୌଗଳିକ ଅବସ୍ଥିତିକୁ ନେଇ ସମୀକ୍ଷା କରିଛି ଟିମ୍ । ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ସେମାନଙ୍କୁ ସମସ୍ତ ସହଯୋଗ କରାଯାଇଥିବା କହିଛନ୍ତି ଏସପି ।
ଶ୍ରୀମନ୍ଦିର ମେଘନାଦ ପାଚେରୀ ସଂଲଗ୍ନ ସାହି ଗୁଡ଼ିକର ଅବସ୍ଥିତି ସହ କେଉଁ କେଉଁ ସ୍ଥାନରେ ୱାଚ୍ ଟାୱାର ରହିଛି ସେସବୁ ଅନୁଧ୍ୟାନ କରିଛି ଟିମ୍ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଏକ କାଳୀନ କେତେ ଭକ୍ତ ଜମା ହୁଅନ୍ତି, ଶ୍ରୀମନ୍ଦିର ଆନ୍ତଃ ଓ ବାହ୍ୟ ପରିକ୍ରମା ମାର୍ଗରେ ସାଧାରଣ ଦିନ ଓ ରଥଯାତ୍ରା ସମୟରେ କେତେ ଶ୍ରଦ୍ଧାଳୁ ଆସନ୍ତି, ଶ୍ରୀମନ୍ଦିରକୁ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଆଦି ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି । ଟିମ ସିଂହଦ୍ଵାର ସମ୍ମୁଖ ଦର୍ଶନ ବ୍ୟବସ୍ଥା ଦକ୍ଷିଣ ପାର୍ଶ୍ୱ ଅଞ୍ଚଳ ଆଦି ଯାଞ୍ଚ କରିବା ସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ୱତନ୍ତ୍ର ନକ୍ସା ତଦାରଖ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାରେ ବର୍ତ୍ତମାନ ୧୨ ପ୍ଲାଟୁନ ଫୋର୍ସ ରହିଥିବା ବେଳେ ସ୍ୱତନ୍ତ୍ର ମେସିନ ଦ୍ୱାରା ସୁରକ୍ଷା ଯାଞ୍ଚ କରାଯାଉଛି । ଏହାସହ ସ୍ୱତନ୍ତ୍ର ସୁରକ୍ଷା ବାହିନୀର କମାଣ୍ଡାଣ୍ଟ ଭାବେ ଅଧିକାରୀ ଯୋଗ ଦେଇଛନ୍ତି । ସୁରକ୍ଷାକୁ ନେଇ ସଡକ, ଆକାଶ ଓ ସମୁଦ୍ର ପଥରେ ସଜାଗ ଅଛନ୍ତି ଟିମ୍ । ଆତଙ୍କୀ ଆକ୍ରମଣ ପ୍ରତିହତ ପାଇଁ ସବୁ ସ୍ତରରେ କରାଯାଉଛି ପ୍ରସ୍ତୁତି ।