ମ୍ୟାଲେରିଆ ନିରାକରଣରେ ଓଡ଼ିଶା ଫେଲ, NVBDCP ରିପୋର୍ଟ ପଦାକୁ ଆଣିଲା ବାସ୍ତବ ଚିତ୍ର
1 min read
ନନ୍ଦିଘୋଷ ବ୍ୟୁରୋ: ମ୍ୟାଲେରିଆ ନିରାକରଣରେ ଓଡ଼ିଶା ଫେଲ । ଜାତୀୟ କୀଟବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (NVBDCP) ରିପୋର୍ଟ ଅନୁସାରେ ମ୍ୟାଲେରିଆ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ମ୍ୟାଲେରିଆ ପ୍ରବଣ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା । ଚଳିତବର୍ଷ ୫ ଜିଲ୍ଲାରେ ୧୦ ହଜାରରୁ ଅଧିକ ରୋଗୀ ଥିବାବେଳେ ସର୍ବାଧିକ ରୋଗୀ ସଂଖ୍ୟା ଏକ ଲକ୍ଷ ଟପିଛି । ଯାହା ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି ।
ଓଡ଼ିଶାର ଅଲୋଡ଼ା ରେକର୍ଡ । ଜାତୀୟ କୀଟ ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ରିପୋର୍ଟ ରାଜ୍ୟର ମ୍ୟାଲେରିଆ ନିରାକରଣର ବାସ୍ତବ ଚିତ୍ର ପଦାରେ ପକାଇ ଦେଇଛି । ସ୍ଥିତି ଏପରି ବିଗିଡ଼ିଲାଣି ଯେ ମ୍ୟାଲେରିଆ ବୃଦ୍ଧିରେ ଝାଡ଼ଖଣ୍ଡ ଓ ଛତିଶଗଡ ପରି ରାଜ୍ୟକୁ ପଛରେ ପକାଇଦେଇଛି ଓଡ଼ିଶା । ଚଳିତ ବର୍ଷ ଏକ ଲକ୍ଷ ୬୭ ହଜାର ୨୩୩ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପାଖରେ ରାୟଗଡ଼ାରେ ୩୧ ହଜାର ୭୪୫, ନବରଙ୍ଗପୁରରେ ୨୮ ହଜାର ୧୩୪, କନ୍ଧମାଳରେ ୨୨ ହଜାର ୧୦୫, ନୟାଗଡ଼ରେ ୧୨ ହଜାର ୪୬୦, କେନ୍ଦୁଝରରେ ୧୧ ହଜାର ୭୬୫ ମ୍ୟାଲେରିଆ ରୋଗୀଙ୍କ ରିପୋର୍ଟ ରହିଛି । ସୁବର୍ଣ୍ଣପୁର, ଅନୁଗୁଳ, ମାଲକାନଗିରିରେ ୬ ହଜାରରୁ ଅଧିକ ମ୍ୟାଲେରିଆ ରୋଗୀ ଅଛନ୍ତି । କୋରାପୁଟ ଓ ବଲାଙ୍ଗୀର ୫ ହଜାର ଛୁଇଁବାକୁ ଯାଉଛି ସଂଖ୍ୟା । ମ୍ୟାଲେରିଆରେ ୬ ଜଣଙ୍କ ମୃତ୍ୟୁ ବି ହୋଇଛି । ମାଲକାନଗିରିରେ ୩, କେନ୍ଦୁଝର, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ରୋଗୀ ମ୍ୟାଲେରିଆ ଯୋଗୁଁ ପ୍ରାଣ ହରାଇଛନ୍ତି । ଦେଶର ସମୁଦାୟ ରୋଗୀଙ୍କ ୩୮ ପ୍ରତିଶତ ମ୍ୟାଲେରିଆ ରୋଗୀ ଓଡ଼ିଶାରେ ଅଛନ୍ତି । ଛତିଶଗଡ଼, ଝାଡ଼ଖଣ୍ଡ ଭଳି ମ୍ୟାଲେରିଆ ପ୍ରବଣ ରାଜ୍ୟରେ ରୋଗୀଙ୍କ ସଂଖ୍ୟା ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍ ରହିଛି । ଓଡ଼ିଶାର ଏହି ଚିନ୍ତାଜନକ ସ୍ଥିତି ଜୁଲାଇ ଶେଷ ଯାଏଁ ରେକର୍ଡ କରାଯାଇଛି । ଆଗାମୀ ୫ ମାସରେ ଏହା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶଂକା କରାଯାଉଛି ।
ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିବା ସହ ଦମନ କାର୍ଯ୍ୟକ୍ରମର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଲାଣି । ଦମନରେ ଚିହ୍ନଟ ହେଉଥିବା ରୋଗୀଙ୍କୁ ରାଜ୍ୟ ସରକାରଙ୍କ ବାର୍ଷିକ ମ୍ୟାଲେରିଆ ରୋଗୀ ତାଲିକାରେ ସାମିଲ କରାଯାଉ ନାହିଁ । ଯେଉଁଥି ପାଇଁ ରାଜ୍ୟରେ ପ୍ରତିବର୍ଷ ପ୍ରକୃତରେ କେତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳୁନି । ଲୋକଙ୍କ ଏଲଏଲଆଇଏନ ମଶାରୀ ବ୍ୟବହାର ଉପରେ ବି ସନ୍ଦେହ ଉପୁଜିଲାଣି । ସଚେତନତା ଅଭାବ ବି ଏହାର ଏକ ବଡ଼ କାରଣ ପାଲଟିଛି ।
୨୦୩୦ ମସିହା ସୁଦ୍ଧା କେନ୍ଦ୍ର ସରକାର ମ୍ୟାଲେରିଆ ନିରାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି । ୨୦୨୭ ସୁଦ୍ଧା ନିଜ ଅଞ୍ଚଳରେ ମ୍ୟାଲେରିଆ ଚିହ୍ନଟକୁ ଶୂନ କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ହେଲେ ଓଡ଼ିଶାରେ ଯେଉଁଭଳି ଢଙ୍ଗରେ ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଚାଲିଛି, ତାହା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ବାଧକ ସାଜିପାରେ ।