ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ, ଦୋକାନ ଓ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ
1 min read
ବ୍ରହ୍ମପୁର : ଦୋକାନ, ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ । ବ୍ରହ୍ମପୁର ମହାନଗର ନିଗମର କଡ଼ା ନିୟମ । ଓଡ଼ିଆ ଲେଖିଲେ ଲାଇସେନ୍ସ ନବୀକରଣରେ ମିଳିବ ରିହାତି । ନଲେଖିଲେ ତଣ୍ଡ ଗଣିବେ ସଂପୃକ୍ତ ଦୋକାନୀ ଓ ସଂସ୍ଥା । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ପରେ ଏହାକୁ କଡ଼ାକଡ଼ି କରିଛି BeMC । ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ନିଜ ସୂଚନା ଫଳକର ଅନ୍ୟୁନ ଶତକଡା ୬୦ପ୍ରତିଶତ ସ୍ଥାନରେ ଓଡ଼ିଆ ଭାଷାରେ ଲେଖିବେ । ଫଳରେ ଟ୍ରେଡ ଲାଇସେନ୍ସ ନବୀକରଣ ବା ପଞ୍ଜୀକରଣ ସମୟରେ ମୋଟ ଦେୟର ଶତକଡା ୫ ପ୍ରତିଶତ ରିହାତି ସଂଶୋଧନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରତିଷ୍ଠାନର ସାଇନବୋର୍ଡକୁ ସଂଶୋଧନ କରିବା ପାଇଁ ୫୫ ଦିନର ମହଲତ ଦିଆଯିବ । ନିର୍ଦ୍ଧାରିତ ସମୟ ମଧ୍ୟରେ ନକଲେ ଦୈନିକ ୫ ଶହ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯିବ ।
ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜନସାଧାରଣ ଓ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି । ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ନିର୍ଦ୍ଦେଶନାମାକୁ କିଭଳି କାର୍ଯ୍ୟକାରୀ କରିଛନ୍ତି ସେନେଇ ୬୦ ଦିନ ମଧ୍ଯରେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସମେତ ମହାନଗର ନିଗମର କମିଶନର ଓ ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଥିବାବେଳେ ଏହାର କାର୍ଯ୍ୟକାରୀତା ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।