‘ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଲେ, ୧୪ ମାସର ସରକାରରେ ସବୁ ଭୁଲିଗଲେ’

ଭୁବନେଶ୍ବର : ରାଜନୀତିରେ ପୁଣି ଅସ୍ମିତା ଝଡ଼। ବିଜେପିକୁ ବିତର୍କର ଆହ୍ବାନ ଦେଲେ ଅରୁଣ । ଜୟଦେବ କହିଲେ ବିଜେପି ଅସ୍ମିତାକୁ ଦେଉଛି କୁଠାରଘାତ। ୨୦୨୪ ନିର୍ବାଚନରେ ଓଡ଼ିଆ ଅସ୍ମିତା ନାରା ଦେଇ ବିଜେପି ସରକାରକୁ ଆସିଲା। ସରକାର ଗଠନର ୧୪ ମାସ ପରେ ଅସ୍ମିତାକୁ ପ୍ରତିଦିନ କୁଠାରଘାତ କରୁଛି ବିଜେପି। ସରକାରକୁ ଆସୁଆସୁ ଅଣଓଡିଆଙ୍କ ଦ୍ବାରା ଓଡିଆ ସରକାରୀ ଅଧିକାରୀ ମାଡ ଖାଇଲେ। ରାଜ୍ୟ ସରକାର ଚୁପ ରହିଲେ। ଓଡ଼ିଆ ଭାଷାରେ ଶାସନ ବ୍ୟବସ୍ଥା କେବଳ କଥା ଓ କାଗଜପତ୍ରରେ ଚାଲିଛି। ପ୍ରତି ଦିନ ମହିଳାଙ୍କ ଉପରେ ଅତ୍ୟାଚାର, ନିର୍ଯାତନା, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଘଟୁଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି।ଏସବୁ କଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ କରିଛି ବିଜେଡି।ଓଡ଼ିଆ ଅସ୍ମିତା କଣ ବୁଝି ନଥିବା ସରକାରୀ ଦଳ ମିଥ୍ୟା ଅପପ୍ରଚାରରେ ମାତିଛି। ତେଣୁ ଖୋଲାମଂଚରେ ଅସ୍ମିତା ଉପରେ ବିତର୍କରେ ଭାଗ ନେବାକୁ ଶାସକ ଦଳକୁ ଆହ୍ବାନ କରିଛି ବିରୋଧୀ ବିଜେଡି। କଂଗ୍ରେସ ମଧ୍ୟ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ମିଥ୍ୟା ଓଡିଆ ଅସ୍ମିତାର ନାରା ଦେଇ ଓଡିଶାବାସୀଙ୍କୁ ବୋକା ବନାଇଲେ। ମହାନଦୀ, ପୋଲାଭରମ, କୋଟିଆ, ପୂର୍ବତନ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାରେ ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି।..
ଦୁଇ ବିରୋଧୀ ଦଳର ବରିଷ୍ଠ ନେତା ଓଡିଆ ଅସ୍ମିତାକୁ ନେଇ ଶାସକ ଦଳକୁ ଘେରିବା ପରେ ଏହାର ଜବାବ ରଖିଛି ବିଜେପି। ଓଡିଆ ଅସ୍ମିତାକୁ ନେଇ ବିରୋଧୀଙ୍କ ବିତର୍କ ଆହ୍ଵାନ ଆଗରୁ କେଉଁଠି ଥିବା ବୋଲି କହିଛନ୍ତି ବିଜେପି ବିଧାୟକ। ଓଡିଆ ଅସ୍ମିତାକୁ ନେଇ ବିତର୍କ ବହୁ ସମୟରେ କରାଯାଇପାରିବ ବୋଲି କହିଛନ୍ତି। ଆଗକୁ ବିଧାନସଭା ମୌସୁମୀ ଅଧିବେଶନ। ଯେଉଁ ଓଡ଼ିଆ ଅସ୍ମିତା କଥା କହି ଶାସକ ଦଳ କ୍ଷମତାକୁ ଆସିଥିଲା ସେହି ଅସ୍ମିତାକୁ ନେଇ ଏବେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବଡ ଅସ୍ତ୍ର କରି ଜବାବ ମାଗିଛନ୍ତି।