ଭୁବନେଶ୍ବର : ଓଡିଶାର ଖଣି ଉପରେ ଆନ୍ଧ୍ରର ଆଖି । କୋଟିଆ ନିର୍ବାଚନ ନେଇ ଉଷ୍ମ ରାଜ୍ୟ ରାଜନୀତି । ବିଜେଡି କହିଲା କୁଆଡେ ଗଲା ଓଡ଼ିଆ ଅସ୍ମିତା ? ସରକାରଙ୍କ ନିରବତାକୁ ନେଇ ବର୍ଷିଲା କଂଗ୍ରେସ ।.. ..ଓଡ଼ିଶାରେ ଆନ୍ଧ୍ର କରିବ ପଂଚାୟତ ନିର୍ବାଚନ । ଏଥିପାଇଁ ପ୍ରକାଶ କରିଛି ବିଜ୍ଞପ୍ତି । ଯାହାକୁ ନେଇ ସାରା ଓଡ଼ିଶାରେ ପ୍ରତିବାଦର ସ୍ୱର । ବାରମ୍ବାର ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି କୋଟିଆକୁ ନିଜ କବଜାକୁ ନେବାକୁ ଚାହୁଁଛି ହେଲେ ଓଡିଶା ସରକାର ସବୁ ଜାଣି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଯାହାଜୁ ନେଇ ମୋହନ ସରକାର ଉପରେ ବର୍ଷିଛି ବିଜେଡି । ବିଜେପି ସରକାରର ଓଡ଼ିଆ ଅସ୍ମିତା ନାରା କୁଆଡେ ଗଲା ବୋଲି ଦଳ ପ୍ରଶ୍ନ କରିଛି । କୋଟିଆ ଓଡ଼ିଶାର । ଏଠି ଆନ୍ଧ୍ରକୁ ପଂଚାୟତ ନିର୍ବାଚନ କରାଇ ଦିଆଯିବ ନାହିଁ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । ଟ୍ରିପଲ ଇଂଜିନ ସରକାର ଥାଇ କାହିଁକି ବିଜେପି ଓଡ଼ିଶାର ସୀମାକୁ ସୁରକ୍ଷା ଦେଉନାହିଁ ବୋଲି ଦଳ ପ୍ରଶ୍ନ କରିଛି ।
କୋଟିଆ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ରରେ ସରକାରକୁ ବଞ୍ଚାଇବା ପାଇଁ ଓଡ଼ିଶାର ଜମିକୁ ବିଜେପି ସରକାର ଆନ୍ଧ୍ର ପାଖରେ ବନ୍ଧା ପକାଇଛି ବୋଲି ଦଳ ଅଭିଯୋଗ କରିଛି । କୋଟିଆରେ ଥିବା ଖଣିଜ ସମ୍ପଦ ଉପରେ ଆନ୍ଧ୍ର ସରକାର କୁନଜର ପକାଇଛି । ସେଥିପାଇଁ ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରୁଛି । ଓଡିଶା ଗଠନର ୧୯ ବର୍ଷ ପରେ ଗଠିତ ଆନ୍ଧ୍ର କିପରି କୋଟିଆକୁ ନିଜର କରିବାକୁ ଚାହୁଁଛି ବୋଲି ରାଜ୍ୟ ସରକାରକୁ ପ୍ରଶ୍ନ କରିଛି ଦଳ । ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ରାଜ୍ୟ ସରକାର ଓଡ଼ିଆ ତ ବୋଲି ପ୍ରଶ୍ନ କରି ଦଳ କଟାକ୍ଷ କରିଛି । ବିଜେପି ସାଂସଦ ମାନେ କୋଟିଆ ପ୍ରସଙ୍ଗରେ ଚୁପ କାହିଁକି ? କଂଗ୍ରେସ ଏ ସବୁର ବିରୋଧ କରିବ । କଂଗ୍ରେସର ସ୍ୱତନ୍ତ୍ର ଟିମ କୋଟିଆ ଯିବ ବୋଲି ଦଳ କହିଛି । ବିଜେପି କିନ୍ତୁ ଏ ପ୍ରସଙ୍ଗରେ ଚିରାଚରିତ ଉତ୍ତର ରଖିଛି ।
କୋଟିଆରେ ବାରମ୍ବାର ଆନ୍ଧ୍ରର ବିଭିନ୍ନ ମନମୁଖୀ କାର୍ଯ୍ୟକ୍ରମ ନେଇ ବିଜେପି ସରକାରକୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ । ଆନ୍ଧ୍ର କୋଟିଆକୁ ନେଇ ଷଡ଼ଯନ୍ତ୍ର କରୁଥିବା ବେଳେ ଓଡିଶା ସରକାର କାହିଁକି ଚୁପ ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି ।..

