ଭୁବନେଶ୍ବର : ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜରେ ବିଜେଡି ବିଜୟ ଲାଭ କରିଥିବାର ଦମ୍ଭୋକ୍ତି ଦେଖାଇ ଆସିଛି ଛାତ୍ର ବିଜେଡି । ଆଜି ନବୀନ ନିବାସର ଦୃଶ୍ୟ ଦେଖି ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କେନ୍ଦ୍ରାପଡ଼ା, ବାଲେଶ୍ବରରୁ କୋରାପୁଟ, ସାରା ରାଜ୍ୟରେ ଛାତ୍ର ବିଜେଡି ପକ୍ଷରୁ କଲେଜ ନିର୍ବାଚନ ଜିତିଥିବା ଛାତ୍ର ନେତାଙ୍କ ଭିଡ଼ ଜମିଥିଲା । ନବୀନଙ୍କ ସମାନ୍ୟ ଝଲକ ପାଇ ଫଟୋ ଓ ସେଲଫି ଉଠାଇବାକୁ ସମସ୍ତଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା । ଛାତ୍ର ସଂସଦ ନିର୍ବାଚନରେ ବିଜୟ ପାଇଁ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ସ୍ବୀକାର କରି ସମସ୍ତେ ପହଞ୍ଚିଥିଲେ ନବୀନ ନିବାସ । ବିଜୟ ଲାଭ କରିଥିବା ଛାତ୍ର ବିଜେଡିର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ପ୍ରକୃତ ଜେନ-ଜିର ଆଖ୍ୟା ଦେଇଥିଲେ ନବୀନ ପଟ୍ଟନାୟକ ।
ଛାତ୍ର ସଂସଦ ନିର୍ବାଚନରେ ବାରମ୍ବାର ଦେଖିବାକୁ ମିଳିଥିଲା ସରକାରୀ କଳ ସହ ଅର୍ଥ ଓ ବାହୁ ବଳର ଅପବ୍ୟବହାର । ହେଲେ ରାଜ୍ୟ ବିଜେପି ଅନୈତିକ ଉପାୟ ଅଵଲମ୍ବନ କରିଥିବା ସତ୍ତ୍ବେ ବିଜେଡି ଜିତିଥିବାରୁ ଛାତ୍ର ବିଜେଡି ନେତାମାନେ ବହୁତ ଭଲ କରିଥିବା ନେଇ ନବୀନ ସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁଥି ପାଇଁ ୬୦ ପ୍ରତିଶତରୁ ଅଧିକ କଲେଜ ଜିତିଛନ୍ତି ଓ ୫୦ ପ୍ରତିଶତ ବିଶ୍ବବିଦ୍ୟାଳୟରେ ଛାତ୍ର ବିଜେଡି ଜିତିଛି । ସେହିପରି ଓଡ଼ିଶାର ସମସ୍ତ ଛାତ୍ର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ବିଜେଡି ସବୁବେଳେ ଛାତ୍ର ସମାଜ ସହ ଠିଆ ହୋଇଛି ଓ ଠିଆ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି । ତେବେ ଛାତ୍ର ନିର୍ବାଚନରେ ବିଜେପି ନିମ୍ନ ସ୍ତରକୁ ଖସି ଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ହେଲେ ସତ୍ୟ, ନ୍ୟାୟ ଓ ଅହିଂସା ସମେତ ନବୀନ ପଟ୍ଟନାୟକଙ୍କ ଆଦର୍ଶର ଜୟ ହୋଇଥିବା ନେଇ ସୁଜାତା ସ୍ପଷ୍ଟ କରିଛନ୍ତି । ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଉଦାହରଣ ଭାବେ ନେଇ ସେ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ୧୫୦୦ ଭୋଟ ଗଣିବାକୁ ୧୫ ଘଣ୍ଟା ଲାଗିବା ବିଜେପି ସରକାରଙ୍କ ଦକ୍ଷତାର ପ୍ରମାଣ ଦେଇଛି । ଏହା ଦ୍ବାରା ଆଗାମୀ ପୀଢ଼ିକୁ ବିଜେପି ସରକାର କଣ ବାର୍ତ୍ତା ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏଥିପାଇଁ ବିଜେପି ଆତ୍ମସମୀକ୍ଷା କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ଜେନ-ଜି ଏବେ ଜାଗ୍ରତ ଓ ବିଜେପି ସରକାରକୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଛି । କାରଣ ବିକାଶ କାମ କରିବା ବଦଳରେ ବିପରିତ ମାର୍ଗରେ ସରକାର ଯାଉଥିବା ନେଇ ବିଜେଡି ଅଭିଯୋଗ କରିଛି । ସରକାରୀ କଳ ବଳ କୌଶଳ ଓ ଅର୍ଥ ବଳ ଲଗାଇ ନିର୍ବାଚନ ଜିତିବାକୁ ତରବରିଆ ଭାବେ ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଗଲା । ହେଲେ ଜେନ-ଜିଙ୍କ ଆକ୍ରୋଶର ହିସାବ କରିବାକୁ ରାଜ୍ୟ ବିଜେପି ସରକାର ଭୁଲି ଯାଇଥିବାର କଟାକ୍ଷ କରିଛି ବିଜୁ ଜନତା ଦଳ ।

