ଗୃହ ଚଲାଇ ଦେଉ ନାହାନ୍ତି ବିରୋଧୀ

1 min read

ଭୁବନେଶ୍ବର: ଲଗାତର ୮ ଦିନ ଧରି ଚାଲିପାରୁନି ବିଧାନସଭା ଶୀତ ଅଧିବେଶନ । ଆଉ ଆଜି ନବମ ଦିନରେ ବି ସାମନ ଅବସ୍ଥା । ଆରମ୍ଭରୁ ବିରୋଧୀ ବିଜେପି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ଘଣ୍ଟ ବଜାଇବା ସହ ପ୍ଲା-କାର୍ଡ ଧରି ନାରାବାଜି କରିଥିଲେ । ବିରୋଧୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି, ହେଲେ ବିରୋଧୀ ଶୁଣିନଥିଲେ । ତେଣୁ ବାଚସ୍ପତି ଗୃହକୁ ସାଢେ ୧୧ ଯାଏଁ ମୁଲତବି ଘୋଷଣା କରିଛନ୍ତି ।

୩ ଥର ସର୍ବଦଳୀୟ ବୈଠକ ପରେ ବି ସହଯୋଗ କରୁନାହାନ୍ତି ବିରୋଧୀ । ବିରୋଧୀଙ୍କ ଏପରି ବିଶୃଙ୍ଖଳା ପାଇଁ ବିଧାନସଭାରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରୁନି । ଉଠିପାରୁନି ଲୋକଙ୍କ ସ୍ବାର୍ଥ କଥା ।

ସେପଟେ ଆଜି ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୨୧-୨୨ ଆର୍ଥିକବର୍ଷ ନିମନ୍ତେ ରାଜ୍ୟ ସରକାର ଅତିରିକ୍ତ ୧୯ ହଜାର ୮୩୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଯାହା ଉପରେ ଆଜି ମୋହର ବାଜିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଆଜି ଗୃହରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସାଧାରଣ, ସାମାଜିକ ଓ ରାଜସ୍ବ କ୍ଷେତ୍ରର ସିଏଜି ରିପୋର୍ଟ ଉପସ୍ଥାପନ କରିବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ, ରାଜ୍ୟ ପରିବହନ ନିଗମର ବାର୍ଷିକ ରିପୋର୍ଟ, ଜିଲ୍ଲା ଖଣିଜ ପାଣ୍ଠିର ବାର୍ଷିକ ରିପୋର୍ଟ ବିଭାଗୀୟ ମନ୍ତ୍ରୀ ଉପସ୍ଥାପନ କରିପାରନ୍ତି । ଗୁରୁବାର ସବୁ ବିଭାଗର ଖର୍ଚ୍ଚ ଦାବି ଗିଲୋଟିନ ମାଧ୍ୟମରେ ପାରିତ ହୋଇଥିବା ବେଳେ କେବଳ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇ ପାରିତ ହୋଇଥିଲା ।

Leave a Reply