ଭୁବନେଶ୍ବର : ଧାନ କିଣୁନାହାନ୍ତି ସରକାର। ରାଜ୍ୟରେ ଲାଗି ରହିଛି ମଣ୍ଡି ସମସ୍ୟା। ଦୁଃଖରେ ଭାଙ୍ଗି ପଡ଼ିଲେଣି ଅନ୍ନଦାତା। ଚାଷୀଙ୍କ ସ୍ବର ସାଜି ଗୃହରେ ପ୍ରତିବାଦ ଜାରି ରଖିଛନ୍ତି ଦୁଇ ବିରୋଧୀ। ବଜେଟ ଅଧିବେଶନର ଷଷ୍ଠ ଦିନରେ ବ୍ୟାନର ଓ ପୋଷ୍ଟର ଧରି ବିଜେପି ସରକାରର ଚାଷୀମାରଣା ନୀତି ବିରୋଧରେ ନାରାବାଜି ଦେଇଛନ୍ତି ବିଜେଡି ଓ କଂଗ୍ରେସ। ଚାଷୀ ପ୍ରସଙ୍ଗରେ ହୁଲୁସ୍ତୁଲୁ ହେଉଛି ବିଧାନସଭା। ସରକାର ଚାଷୀଙ୍କ ଧାନ କିଣୁନଥିବାରୁ ମଣ୍ଡିରେ ହନ୍ତସନ୍ତ ହେଉଛନ୍ତି କୃଷକ ଭାଇ। ଦୁଇ ବିରୋଧୀଙ୍କ ଗୋଟିଏ ଦାବି ମଣ୍ଡି ସମସ୍ୟା ଦୂର କରି ଚାଷୀଙ୍କ ଧାନ କିଣ। ସମସ୍ୟାର ସମାଧାନ ନହେଲେ ତୃଣମୂଳ ସ୍ତରରୁ ରାଜଧାନୀ ଯାଏ ଜୋରଦାର ପ୍ରତିବାଦ କରିବ ବୋଲି ଚେତାବନୀ ଦେଇଛି ବିଜେଡି।
ଚାଷୀ ପ୍ରସଙ୍ଗକୁ ନେଇ ୬ ଦିନ ହେବ ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା। ଫେଲ୍ ମାରିଛି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ। ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ପାରୁନଥିବାରୁ କାଦୁଅ ଫିଙ୍ଗା ରାଜନୀତିରେ ମାତିଛନ୍ତି ଶାସକ ଓ ବିରୋଧୀ। କଂଗ୍ରେସ କହିଛି, ଶାସକ ଦଳ ଚାହୁନାହିଁ ଗୃହ ଚାଲୁ ବୋଲି। ବିଜେଡି ମଧ୍ୟ ସାମାନ ଅଭିଯୋଗ କରିଛି। ଯାହାର ଜବାବ ଦେଇଛି ବିଜେପି । ବଜେଟ ଅଧିବେଶନର ଆରମ୍ଭରୁ ଚାଷୀ ସମସ୍ୟାକୁ ନେଇ ହଟ୍ଟଗୋଳ ଜାରି ରହିଥିବା ବେଳେ, ନିଜ ଜିଦରେ ଅଟଳ ରହିଛି ଶାସକ ଦଳ।

