ବିଧାନସଭାର ବଜେଟ ଅଧିବେଶନ ,ଆଜି ବି ସରଗରମ ରହିବ ଗୃହ !

ଭୁବନେଶ୍ବର : ବିଧାନସଭାର ବଜେଟ ଅଧିବେଶନରେ ଆରମ୍ଭରୁ ହିଁ ସରଗରମ ହୋଇଛି ଗୃହ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ । ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଆଲୋଚନା ହେବ । ଆଲୋଚନାର ଶେଷ ଦିନରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିବେ । ଏହାସହିତ ବିଧାନସଭାର ଗତ ଅଧିବେଶନରେ ପାରିତ ହୋଇଥିବା ବିଲ ଗୁଡ଼ିକ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିବା ନେଇ ବିଧାନସଭା ସଚିବ ଗୃହକୁ ଅବଗତ କରାଇବେ । ପ୍ରଶ୍ନକାଳରେ କୃଷି, ଖାଦ୍ୟ ଯୋଗାଣ, ବିଦ୍ଯାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ ଓ ସମବାୟ ବିଭାଗର ପ୍ରଶ୍ନତ୍ତୋର ରହିଛି । ବଜେଟ ଅଧିବେଶନର ପ୍ରଥମ ମୁଲତବୀ ପ୍ରସ୍ତାବ ଆଲୋଚନା ମୁଖ୍ୟ ବିରୋଧୀ ଦଳ ବିଜେପି ପକ୍ଷରୁ ଆସିବ । ଗତକାଲି ଅଧିବେଶନର ଆରମ୍ଭ ଦିନ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ବିରୋଧୀ ଗୃହ ମଧ୍ୟରେ ହୋହାଲ୍ଲା ନାରାବାଜି କରିଥିଲେ । ବିଜେପି ସଦସ୍ୟ ମାନେ ଗୃହ ବର୍ଜନ କରି ଧାରଣାରେ ବସିଥିଲେ । ଦିବଂଗତ ନେତା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାକୁ ଶାସକ ଦଳ ପକ୍ଷରୁ କପୋଳକଳ୍ପିତ ଦର୍ଶାଯାଇ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରାଯାଇଛି । ତେବେ ଗତକାଲିଠୁ ଗୃହ ଯେଭଳି ସରଗରମ ରହିଛି ଆଜି ମଧ୍ୟ ସମାନ ସ୍ଥିତ ଦେଖିବାକୁ ମିଳିପାରେ ।