ନନ୍ଦିଘୋଷ ବ୍ୟୁରୋ ; ଅଖ ବନ୍ଦ, ଚକ ବନ୍ଦ। ସବୁଠି ପଡ଼ିଲା ଓଡ଼ିଶା ବନ୍ଦର ପ୍ରଭାବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଓଡ଼ିଶା ବନ୍ଦ କରିଛି ନବ ନିର୍ମାଣ କୃଷକ ସଂଗଠନ। କେଉଁଠି ଟାୟାର ଜାଳି ତ ଆଉ କେଉଁଠି ପିକେଟିଂ। ଭୁବନେଶ୍ବରରେ ତ ଧାନ ବସ୍ତାକୁ ଗାଡ଼ି ଆଗରେ ରଖି କରାଯାଇଛି ପ୍ରତିବାଦ। ଅନେକ ଜାଗାରେ ରାସ୍ତା ମଝିରେ ଅଟକି ରହିଲେ ଗାଡ଼ି ମୋଟର। ଗାଡ଼ି ଚଳାଚଳ ହେଉନଥିବାରୁ ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଟୋକନ ସମସ୍ୟା, ମଣ୍ଡିରେ ଉଠୁନି ଧାନ, ବ୍ୟାପକ ଭାବେ ଚାଲିଛି କଟନୀ ଛଟନୀ। ଏ ସମସ୍ତ ଅବ୍ୟବସ୍ଥାକୁ ଦୂର କରିବାକୁ ନିର୍ବାଚନ ବେଳେ ପ୍ରତିଶୃତି ଦେଇ ସରକାରକୁ ଆସିଥିଲା ବିଜେପି। ହେଲେ ଏହାକୁ ପାଳନ କରୁନାହାନ୍ତି ସରକାର। ପିୟୁସିସି ନାଁରେ ଆଦାୟ ହେଉଛି ମନଇଚ୍ଛା ଫାଇନ। ସେହିପରି ଟାଟା ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ଶୋଷଣ କରୁଛି। ଏପରି ସ୍ଥିତିରେ ରାଜ୍ୟର ଅର୍ଥନୀତି ବିଗିଡ଼ିବାରେ ଲାଗିଲାଣି। କିନ୍ତୁ ସବୁ ଜାଣି ସରକାର ନୀରବ। ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ବନ୍ଦ ପାଳିଛି ନବ ନିର୍ମାଣ କୃଷକ ସଙ୍ଗଠନ।
ବନ୍ଦ ଯୋଗୁ ଗଡ଼ୁନଥିଲା ଗାଡ଼ି। ବସ ଷ୍ଟାଣ୍ଡରେ ଯିଏ ଯେଉଁଠି, ସେଇଠି ରହିବାକୁ ପଡ଼ିଲା। ଘଣ୍ଟା ଘଣ୍ଟା ଧରି ଗାଡ଼ିକୁ ଅପେକ୍ଷା କରି ନୟାନ୍ତ ହୋଇଛନ୍ତି ଯାତ୍ରୀ। ଭୁବନେଶ୍ବରରେ ଆନ୍ଦୋଳନ ସମୟରେ ଖୋଲାଥିବା ଦୋକାନକୁ ବନ୍ଦ କରିଥିଲେ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା। ଏପରିକି ବ୍ୟାଙ୍କ ଭିତରକୁ ବି ଧସେଇ ପଶି କାମ କରିବାକୁ ବାରଣ କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଆନ୍ଦୋଳନକାରୀଙ୍କୁ ଅଟକ ରଖିବାକୁ ବାଧ୍ୟ ହୋଇଥିଲା ପୋଲିସ। ଅନ୍ୟପଟେ ଆନ୍ଦୋଳନ ସମୟରେ ବିଭିନ୍ନ ସ୍ଥାନରେ ହୋଇଥିବା ଅପ୍ରୀତିକର ପରିସ୍ଥିତିର ତର୍ଜମା କରିବାକୁ ଥାନାକୁ ରିପୋର୍ଟ ମଗାଯାଇଛି। ଚାଷୀ ସମସ୍ୟା, ପିୟୁସିସି ନାଁରେ ମନଇଚ୍ଛା ଫାଇନ ଆଦାୟ ଓ ଟାଟା ପାଓ୍ବାରର ସ୍ମାର୍ଟ ମିଟର ନିୟମ ବିରୋଧରେ ସୃଷ୍ଟି ହେଲାଣି ଜନ ଆନ୍ଦୋଳନ। ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ବି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଲେଣି । ଯାହା ସରକାରଙ୍କ ପାଇଁ ସାଜିଲାଣି ସତର୍କ ଘଣ୍ଟି ।

