ବାଲେଶ୍ବର ଛାତ୍ରୀ ମୃତ୍ୟୁ ମାମଲାରେ ଓଡ଼ିଶାରେ ଜଳିଲା ନିଆଁ, ରାସ୍ତାଘାଟ ଖାଁ ଖାଁ, ଦୋକାନ ବଜାର ବନ୍ଦ

ନନ୍ଦିଘୋଷ ବ୍ୟୁରୋ ; ବାଲେଶ୍ବର ଛାତ୍ରୀ ମୃତ୍ୟୁ ମାମଲାରେ ସାରା ଓଡ଼ିଶାରେ ଜଳିଲା ନିଆଁ । ସୃଷ୍ଟି ହେଲା କରୋନା ସମୟର ଭ୍ରମ ।  ଅଟକି ଗଲା ଚକଅଖ । ରାସ୍ତାଘାଟ ଖାଁ ଖାଁ । ଦୋକାନ ବଜାର ବନ୍ଦ । ଛକ ମିଝିରେ ଜଳିଲା ଟାୟାର ।  ସରକାରୀ କାର୍ଯ୍ୟାଳୟ ଛୁଟି । ରାଜରାସ୍ତାରେ ଗର୍ଜିଲା କଂଗ୍ରେସ ।  ଭୁବନେଶ୍ବରରୁ ବ୍ରହ୍ମପୁର, କଟକରୁ, ରାଉରକେଲା, ବାଲେଶ୍ବରରୁ , ପୁରୀ – ସମ୍ବଲପୁର ।  ସବୁଠି ହୋଇଥିଲା କଂଗ୍ରେସର ବନ୍ଦ ପାଳନ । ଟ୍ରେନ ଚଳାଚଳ ବି ବାଧାପ୍ରାପ୍ତ । ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୁଖ୍ୟମନ୍ତ୍ରୀ,  ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ, ବାଲେଶ୍ଵର ସଦର ବିଧାୟକ ନିଜ ପଦବୀରୁ ଇସ୍ତଫା ଦାବି କରାଯାଇଛି ।  ବନ୍ଦପାଳନରେ ୮ଟି ବିରୋଧୀ ରାଜନୈତିକ ଦଳ ସାମିଲ ହୋଇଥିଲା ।

ସେପଟେ ଚକୋଲେଟ ଓ ଗୋଲାପ ଦେଇ ଅଭିନବ ଢଙ୍ଗରେ ପ୍ରତିବାଦ କଲା କଂଗ୍ରେସ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ କର୍ମକର୍ତ୍ତା ଓଡିଶା ବନ୍ଦ ସମୟରେ ଏଭଳି ନିଆରା ଢଙ୍ଗରେ ଲୋକଙ୍କୁ ବୁଝାଉଛନ୍ତି । ଲୋକେ ମଧ୍ୟ ଓଡିଶା ବନ୍ଦ କୁ ସ୍ୱତଃ ପ୍ରବୃତ୍ତ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରୁ ବାଣିବିହାର ପର୍ଯ୍ୟନ୍ତି ବିଶାଳ ବାଇକ୍ ରାଲି ଦେଖିବାକୁ ମିଳିଛି । ଅନୁଗୁଳରେ ମଧ୍ୟ କାଁ ଭାଁ ଖୋଲିଥିବା ଦୋକାନ ଏବଂ ଚାଲୁଥିବା ଗାଡିକୁ ଢୋଲ ବଜାଇ ଗୋଲାପ ଫୁଲ ଦେଇ ବନ୍ଦକୁ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ କର୍ମୀ । ବନ୍ଦକୁ ୮ ଟି ବିରୋଧୀ ଦଳର ବି ସମର୍ଥନ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଲୋକେ ବନ୍ଦ ଯୋଗୁ ସମସ୍ୟାରେ ପଡିଥିବା ମଧ୍ୟ ଦେଖବାକୁ ମିଲିଥିଲା ।