ନବୀନଙ୍କ ଅମଳରେ ପୁଞ୍ଜି ନିବେଶର ଡେଷ୍ଟିନେସନ ପାଲଟିଥିଲା ଓଡ଼ିଶା, ଏବେର ବିଜେପି ସରକାର ଲାଭ ଉଠାଇବାକୁ ଆଗଭର

1 min read

ନନ୍ଦିଘୋଷ ବ୍ୟୁରୋ: ନବୀନ ସରକାର ଅମଳରେ ଓଡ଼ିଶା ଥିଲା ପୁଞ୍ଜିନିବେଶର ଫେଭରିଟ ଡେଷ୍ଟିନେସନ । କେବଳ ପୁଞ୍ଜିନିବେଶ ପ୍ରସ୍ତାବ ଆସୁ ନଥିଲା ବରଂ ଶିଳ୍ପାୟନ ବାସ୍ତବ ରୂପ ନେବା ସହ ନିଯୁକ୍ତି ବି ମିଳୁଥିଲା । ୨୦୨୫ରେ ବିଜେପି ସରକାର ଉତ୍କର୍ଷ ଓଡ଼ିଶା ଆୟୋଜନ କଲେ, ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଛି ବୋଲି କହିଲେ । ହେଲେ, ଏବେ ଯେଉଁ ଶିଳ୍ପ ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେଉଛି କି ଶିଳ୍ପ ପ୍ରତିଷ୍ଠା ହେଉଛି ଏସବୁ ନବୀନ ସରକାରଙ୍କ ଅବଦାନ ବୋଲି ବିଜେଡ଼ି କହିଛି । ବିଜେପି ସରକାରରେ ଶିଳ୍ପ ପ୍ରତିଷ୍ଠା ହେଉନି କି ନିଯୁକ୍ତି ବି ସୃଷ୍ଟି ହେଉନି ବୋଲି ଅଭିଯୋଗ କରିଛି କଂଗ୍ରେସ । ହେଲେ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଆସନ୍ତା ସପ୍ତାହରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଯାଜପୁର ଜିଲ୍ଲାରେ ୧୬ଟି ପ୍ରକଳ୍ପର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି ।

ନବୀନ ସରକାର ଅମଳରେ ଥିଲା ଓଡ଼ିଶା ପାଇଁ ଶିଳ୍ପାୟନରେ ସୁବର୍ଣ୍ଣ ଯୁଗ । ଟାଟା, ବେଦାନ୍ତ, ଆଦାନୀ, ନିପ୍ପନ ଷ୍ଟିଲ ଭଳି ଧାତବ ଶିଳ୍ପ ସହ ଆଇଟି, ପେଟ୍ରୋ-କେମିକାଲ, କୃଷି ଭିତ୍ତିକ ଶିଳ୍ପ ପାଇଁ ବଡ଼ ବଡ଼ କମ୍ପାନୀ ଓଡ଼ିଶାକୁ ଧାଉଁଥିଲେ । ନବୀନ ସରକାରଙ୍କ ଉଦ୍ୟମରେ ମିଳିଥିବା ପୁଞ୍ଜି ନିବେଶ ପ୍ରତିଶ୍ରୁତି ଏବେ ବାସ୍ତବ ରୂପ ନେଉଛି । ବିଜେଡ଼ି ସରକାର ବେଳେ ଶିଳ୍ପ ଅନୁକୂଳ ଭିତ୍ତିଭୂମି, ଗୋ-ସ୍ପିଫ୍ଟ ଭଳି ତ୍ବରିତ ସେବା, ଲ୍ୟାଣ୍ଡ ବ୍ୟାଙ୍କ ଯୋଗୁଁ ଶିଳ୍ପପତିମାନଙ୍କ ପ୍ରଥମ ପସନ୍ଦ ପାଲଟିଥିଲା ଓଡ଼ିଶା । ବିଜେପି ସରକାର ଆସିବା ପରେ ୨୦୨୫ ଜାନୁଆରୀରେ ଆୟୋଜନ କରିଥିଲେ ଉତ୍କର୍ଷ ଓଡ଼ିଶା । ଏହି ସମ୍ମିଳନୀରେ ୧୩ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଆସିଥିଲା ବୋଲି ସରକାର କହିଲେ । ଏଥିରୁ ୯ ଲକ୍ଷ କୋଟି ଟଙ୍କାର ଏମଓୟୁ ବି ସ୍ବାକ୍ଷରିତ ହୋଇଛି । ହେଲେ ଏସବୁ ନବୀନ ସରକାରଙ୍କ ଅବଦାନ ବୋଲି ବିଜେଡ଼ି କହିଛି । ପୋସ୍କୋକୁ ଦିଆଯାଇଥିବା ଜାଗାରେ ଜେଏସ୍ଡ଼ବ୍ଲୁ କାରଖାନା ପାଇଁ ନିଷ୍ପତ୍ତି ହୋଇଥିଲେ ବି ସରକାର ବଦଳିବା ପରେ ଏହା ଧିମେଇ ଯାଇଛି । କଂଗ୍ରେସ ମଧ୍ୟ ଶିଳ୍ପାୟନ ନେଇ ବିଜେପି ସରକାରଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛି ।

ଯାଜପୁରର କଳିଙ୍ଗ ନଗରରେ ଟାଟା ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ । ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି । ରାଜ୍ୟକୁ ପୁଞ୍ଜିନିବେଶ ଆଣିବାକୁ ଉତ୍କର୍ଷ ଓଡ଼ିଶା ସହ ଦେଶର ବିଭିନ୍ନ ଜାଗାରେ ରୋଡ଼ ଶୋ କରିଛନ୍ତି ବିଜେପି ସରକାର । ମେ’ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କାର ଗ୍ରାଉଣ୍ଡିଙ୍ଗ ଓ ଶୁଭାରମ୍ଭ ହେବ ।  ଯାଜପୁର ଜିଲ୍ଲାରେ ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । କେବଳ ଏମଓୟୁ ନକରି ବାସ୍ତବ ରୂପାୟନ ପାଇଁ ସରକାର କାମ କରୁଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି । କେନ୍ଦ୍ରାପଡ଼ାରେ ନିପ୍ପନ ଷ୍ଟିଲ, ପାରାଦୀପରେ ମିତ୍ତଲ ଓ ଜଗତସିଂହପୁରରେ ଜେଏସ୍ଡ଼ବ୍ଲୁ କାମ ଆଗଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଶିଳ୍ପାୟନ ପାଇଁ ସାରା ଦେଶରେ ଜଣାଶୁଣା ଓଡ଼ିଶାକୁ ପୁଞ୍ଜିନିବେଶ ଆସୁଛି । କେବଳ ଧାତବ ଶିଳ୍ପ ନୁହେଁ ବରଂ ଆଇଟି, ଆଇଟିଇଏସ୍, ଖାଦ୍ୟ ପ୍ରକ୍ରିୟାକରଣ, ଗାରମେଣ୍ଟସ୍, ପେଟ୍ରୋ-କେମିକାଲ କ୍ଷେତ୍ରରେ ମଧ୍ୟ ଅନେକ ପୁଞ୍ଜିନିବେଶ ଆସୁଥିବା ବେଳେ ଏହାକୁ ବାସ୍ତବ ରୂପ ଦେବା ପାଇଁ ଆନ୍ତରିକ ଉଦ୍ୟମର ଆବଶ୍ୟକତା ରହିଛି ।