ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା, ଏହି ରଣକୌଶଳ ସହ ମଇଦାନକୁ ଓହ୍ଲାଇପାରେ ଦଳ

1 min read

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଭରସା ଯୁବ ଚେହେରା । ବାରମ୍ବାର ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ନମିଳିପାରେ କଂଗ୍ରେସ । ୮୦ ପ୍ରତିଶତ ଯୁବ ନେତୃତ୍ବଙ୍କୁ ୨୪ ମଇଦାନରେ ଓହ୍ଲାଇବା ପାଇଁ ଦଳ କସରତ ଆରମ୍ଭ କରିଛି । କଂଗ୍ରେସ ଶାସିତ ରାଜ୍ୟରେ ଦଳର ପରାଜୟ ପରେ ଓଡ଼ିଶା କଂଗ୍ରେସ ପାଇଁ ମଙ୍ଗୁଆଳ ଏପରି ଚିନ୍ତା କରିଛନ୍ତି । ନିର୍ବାଚନ ଓ ସ୍କ୍ରିନିଂ କମିଟି ଏହା ଉପରେ ନିଷ୍ପତ୍ତି ନେବ ବୋଲି ପିସିସି ସଭାପତି କହିଛନ୍ତି । ସେପଟେ ନିଜ ଭିତରେ ଲଢ଼େଇ ଯୋଗୁ କଂଗ୍ରେସ ହାରୁଛି ବୋଲି ବରିଷ୍ଠ ବିଧାୟକମାନେ ମତ ଦେଇଛନ୍ତି ।

୨୪ ପାଇଁ କଂଗ୍ରେସର ଚେହେରା ଚିନ୍ତା । ବାରମ୍ବାର ପରାଜିତ ନେତାଙ୍କୁ ମିଳିବନି ଟିକେଟ୍‌ । ଯୁବ ଓ ମହିଳା ନେତୃତ୍ବଙ୍କୁ ଫୋକସ୍‌ । ତାରା- ସୁରଙ୍କ ଦାବି ଉପରେ ଶରତଙ୍କ ଭିନ୍ନମତ । ୨୦୧୯ରେ ରାଜ୍ୟରେ କଂଗ୍ରେସର ଭୋଟ୍‌ ହାର ଥିଲା ୧୬ ଦଶମିକ ୧୨ ପ୍ରତିଶତ । ଗତ ପଞ୍ଚାୟତ ନିର୍ବାଚନରେ ୧୩ ଦଶମିକ ୫୭ ପ୍ରତିଶତକୁ କମିଲା । ପୌର ଓ ୮ଟି ଉପନିର୍ବାଚନରେ ଦଳର ଭୋଟ୍‌ ହାର ଥିଲା ଅତି ନଗଣ୍ୟ । ଏଭଳି ସ୍ଥିତିରେ ଓଡ଼ିଶା କଂଗ୍ରେସ ୨୦୨୪ ନିର୍ବାଚନ ସାମ୍ନା କରିବାକୁ ଯାଉଛି ।

ଗୋଷ୍ଠୀ କନ୍ଦଳ ଭିତରେ ଛନ୍ଦି ହୋଇପଡ଼ିଥିବା ରାଜ୍ୟ କଂଗ୍ରେସ ଏବେ ଯୁବ ନେତୃତ୍ବଙ୍କୁ ନେଇ ଆଗକୁ ଯିବାକୁ ଆରମ୍ଭ କରିଛି କସରତ । ଗ୍ରାଉଣ୍ଡରେ କାମ କରୁଥିବା ଯୁବ ନେତୃତ୍ବଙ୍କୁ ଦଳ ୨୪ରେ ଚେହେରା କରିବାକୁ ରଣନୀତି କରୁଛି । ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ୍‌ ନଦେବାକୁ ଦୁଇ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ସୁରେଶ ରାଉତରାୟ ଦାବି କରିଛନ୍ତି  । ଅଧିକ ଯୁବ ନେତୃତ୍ବଙ୍କୁ ଟିକେଟ୍‌ ନଦେଲେ କଂଗ୍ରେସ ସ୍ଥିତିରେ ଉନ୍ନତି ହେବ ନାହିଁ ବୋଲି ଉଭୟ କହିଛନ୍ତି ।

ବାରମ୍ବାର ନିର୍ବାଚନ ହାରୁଥିବା ପ୍ରାର୍ଥୀ ଓ ବୟସ୍କ ନେତାଙ୍କୁ ଟିକେଟ ନଦେବା ପାଇଁ ଦଳ ଭିତରେ ଦାବି ଉଠିବା ପରେ ପିସିସି ସଭାପତି ଚିନ୍ତାରେ ପଡ଼ିଛନ୍ତି । ଜିତିବା କ୍ଷମତା ଥିବା ନେତାଙ୍କୁ ଟିକେଟ୍‌ ଦେବାରେ ପ୍ରାଧାନ୍ୟ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ଏନେଇ କଂଗ୍ରେସ ନିର୍ବାଚନ ଓ ସ୍କ୍ରିନିଂ କମିଟି ନିଷ୍ପତ୍ତି ନେବ । ୨୩ ବର୍ଷ କ୍ଷମତା ବାହାରେ ଥିବା ରାଜ୍ୟ କଂଗ୍ରେସ ୨୪ ନିର୍ବାଚନକୁ ନେଇ ଅଙ୍କ କଷୁଛି । ଟିକେଟ୍‌ ପାଇବା ପାଇଁ କିଏ ଯୋଗ୍ୟ, ତାକୁ ନେଇ ଦଳ ଭିତରେ ଆରମ୍ଭ ହୋଇଛି ନୂଆ କଳି । ଯାହାକି ଦଳର ୯ରୁ ୯୦ ମିଶନକୁ ପାଣିଚିଆ କରିଦେଇଛି ।