ଦୁବାଇରେ ଓଡ଼ିଶା ଦିବସ ପାଳିତ, ଭିଡିଓ ବାର୍ତ୍ତାରେ ପ୍ରବାସୀ ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଦୁବାଇ: ଦୁବାଇରେ ଓଡ଼ିଶା ଦିବସ । ଓଡ଼ିଶା ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇବା ସହ ବିଶ୍ବ ସ୍ତରରେ ଏହା ଓଡ଼ିଶାର ଏକ ବଡ଼଼ ପଦକ୍ଷେପ ବୋଲି କହିଛନ୍ତି । ଶିଳ୍ପାୟନ କ୍ଷେତ୍ରରେ ଏହା ବଡ଼ ସୁଯୋଗ ସୃଷ୍ଟି କରିବ । ଗତବର୍ଷ ଦୁବାଇ ଇନଭେଷ୍ଟର ମିଟରେ ଏହି ଦୁବାଇ ବିମାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ବର୍ଷକ ଭିତରେ ପ୍ରତିଶ୍ରୁତି ପୂରଣ କରାଯାଇଛି । ଖୁବଶୀଘ୍ର ଆକାଶପଥରେ ସିଙ୍ଗାପୁର ଓ ବ୍ୟାଙ୍କକ ସହ ଅନ୍ତର୍ଜାତୀୟ ଯୋଗାଯୋଗ ଆରମ୍ଭ ହେବାକୁ ଯାଉଛି ।

ଶିଳ୍ପାୟନ କ୍ଷେତ୍ରରେ ଏକ ଉନ୍ନତିର ଶିଖର ଛୁଇଁବାକୁ ଯାଉଛି ଓଡ଼ିଶା । ତେଣୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଇନଭେଷ୍ଟର ଓଡ଼ିଶାରେ ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶ୍ବ ସ୍ତରରେ ଏକ ଓଡ଼ିଶା ପରିବାର ଗଢିବାକୁ ଉଦ୍ୟମ ହୋଇଛି । ଓଡ଼ିଶା ପରମ୍ପରା ଓ ସଂସ୍କୃତି ସାରା ବିଶ୍ବରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । ତେଣୁ ଏକ ନୂତନ ଓଡ଼ିଶା ଗଠନ ପାଇଁ ସମସ୍ତେ ହାତ ମିଳାଇବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଆପଣମାନଙ୍କ ସୁବିଧା ପାଇଁ ଏହି ଯୋଗାଯୋଗ ଆରମ୍ଭ କରାଗଲା ।

ଏହି ବିମାନ ସେବା ଆପଣମାନଙ୍କୁ ଆପଣଙ୍କ ପ୍ରିୟ ଓଡ଼ିଶା ସହ ସୁନ୍ଦରଭାବେ ଯୋଡ଼ି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଏତେ ସଂଖ୍ୟାରେ ଲୋକେ ଆସିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରୁ ଦୁବାଇକୁ ଏହି ଯୋଗାଯୋଗ ରାଜ୍ୟର ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ବିକାଶ ହେବ । ଏହି ଯୋଗାଯୋଗର କ୍ଷେତ୍ର ଓଡ଼ିଶା ପାଇଁ ସୁଯୋଗ ସୃଷ୍ଟି କରିଛି ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ କନସୁଲେଟ ଜେନେରାଲ ଅମନ ପୁରୀ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କର ସେତୁ ପ୍ରତିଷ୍ଠା କରିଛନ୍ତି । ସାରା ବିଶ୍ୱରେ ଓଡ଼ିଶା ସବୁ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଛି । ମୁଖ୍ୟମନ୍ତ୍ରୀ ସବୁଠି ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଜଣେ ଜଣେ ରାଷ୍ଟ୍ରଦୂତ କହିଲେ ମନ୍ତ୍ରୀ ।