ଜଙ୍ଗଲରେ ନିଆଁ ଲାଗିବାରେ ୭ ଦିନରେ ଓଡ଼ିଶା ଦେଶରେ ପ୍ରଥମ

1 min read

ଭୁବନେଶ୍ୱର : ରାଜ୍ୟରେ ଜଳୁଛି ବିଭିନ୍ନ ଜଙ୍ଗଲ। ଜଙ୍ଗଲରେ ନିଆଁ ଲାଗିବାର ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ। ତେବେ ବନ ବିଭାଗର ପଦକ୍ଷେପ ଯୋଗୁ ଗତବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ଜଙ୍ଗଲ ନିଆଁ କମ୍ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ- ଏଫ୍‌ଏସ୍‌ଆଇ ତଥ୍ୟାନୁସାରେ, ସାରା ଦେଶରେ ଶନିବାର ୧୪୦ଟି ସ୍ଥାନରେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିଥିଲା। ଓଡ଼ିଶାରେ ସର୍ବାଧିକ ୪୧ଟି ସ୍ଥାନରେ ନିଆଁ ଲାଗିଛି। ତେବେ ବଡ଼ ଧରଣର ଜଙ୍ଗଲ ନିଆଁ ଲାଗିବାରେ ଗତ ୨୦ ତାରିଖରୁ ୭ ଦିନ ମଧ୍ୟରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଗତବର୍ଷ ଏହି ସମୟରେ ୩୮ ହଜାରରୁ ଉର୍ଦ୍ଧ୍ବ ସ୍ଥାନରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୧୬ ହଜାରରୁ ଅଧିକ ସ୍ଥାନରେ ନିଆଁ ଚିହ୍ନଟ ହୋଇଛି।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ଚଳିତ ବର୍ଷ ଶନିବାର ସୁଦ୍ଧା ୩୧୮ଟି ପଏଣ୍ଟ ରେ ନିଆଁ ଚିହ୍ନଟ ହୋଇଛି । ଏଫ୍‌ଏସ୍‌ଆଇର ଗତ ୫ବର୍ଷର ତଥ୍ୟକୁ ଦେଖିଲେ ଶିମିଳିପାଳରେ ମଧ୍ୟ କମ୍ ସ୍ଥାନରେ ନିଆଁ ଲାଗିଛି।  ୨୦୨୦ରେ ଜାନୁଆରୀରୁ ଏପ୍ରିଲ ମାସ ଭିତରେ ୫୯୯ଟି ସ୍ଥାନରେ ଜଙ୍ଗଲ ନିଆଁ ଚିହ୍ନଟ ହୋଇଥିଲା। ୨୦୨୧ରେ ୨ ହଜାର ୮୬୧, ୨୦୨୨ ରେ ୩୧୯, ୨୦୨୩ରେ ୧ ହଜାର ୪୫୬ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି । ଗତ ଜାନୁଆରୀରୁ ଏପ୍ରିଲ ୨୭ ତାରିଖ ମଧ୍ୟରେ ଶିମିଳିପାଳରେ ୩୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଶିମିଳିପାଳରେ ୩୦୦ ଫାୟାର ସ୍କ୍ୱାଡ ନିୟୋଜିତ ଥିବା ବେଳେ ୩୦ ଜଣ ପୂର୍ବତନ କର୍ମଚାରୀ, ଓଡ୍ରାଫର ୫୨ ଜଣ, ୨୨ଟି ସ୍ୱତନ୍ତ୍ର ଗାଡ଼ି, ଫାୟାର ସ୍କ୍ୱାଡ ପାଇଁ ୨୦ଟି ଗାଡ଼ି, ଫାୟାର ବ୍ଲୋୟର୍ସ ୪୬୦ଟି ଇତ୍ୟାଦି ଦିଆଯାଇଛି । ସେପଟେ ଜଙ୍ଗଲ ନିଆଁ ୯୦ପ୍ରତିଶତ ମନୁଷ୍ୟକୃତ ବୋଲି କୁହାଯାଉଛି। ଶିକାର ପାଇଁ ହେଉ ବା ମହୁଲ ଆଣିବା ପାଇଁ ଜଙ୍ଗଲରେ ଲୋକ ନିଆଁ ଲଗାଇ ଦେଉଛନ୍ତି । ଏଭଳି ସ୍ଥଳରେ ସେମାନଙ୍କୁ ଧରିବା ପାଇଁ ମଧ୍ୟ ବନ ବିଭାଗ କଡ଼ା ପଦକ୍ଷେପ ନେଇଛି । ୬୦ରୁ ଅଧିକ ଲୋକଙ୍କୁ ବନ ବିଭାଗ ଧରିସାରିଲାଣି।