ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କ ବାଧ୍ୟତାମୂଳକ କଲେ ସରକାର

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ମାସ୍କ । ଦେଶ ଓ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ସ୍ଥିତିକୁ ନଜରରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଚିଠି ଲେଖିଛି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ ସେବା ସହ ଜଡ଼ିତ ଡାକ୍ତର, ନର୍ସ, କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଲାବରେଟୋରୀ ସେବା ଯୋଗାଉଥିବା ବ୍ୟକ୍ତି ବି ପିନ୍ଧିବେ ମାସ୍କ । ନିବୁଜ ଘରେ ଏକାଧିକ ଲୋକ ସମାଗମ ହେଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଥଣ୍ଡାକାଶରେ ପୀଡ଼ିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଗତ କିଛି ଦିନ ଧରି ରାଜ୍ୟରେ ଶତାଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି । ସେପଟେ ଦେଶରେ ବି ବଢିଚାଲିଛି ସଂକ୍ରମଣ । ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ମିଳିଛି । ସୋମବାର ସୁନ୍ଦରଗଡ଼ରେ ୧୫୮ ଓ ସମ୍ବଲପୁରରେ ୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।