୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ

1 min read

ଭୁବନେଶ୍ବର: ଆରମ୍ଭ ହେଲା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତୁତି । ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର । କେଉଁ ବିଭାଗର କେଉଁ ଯୋଜନା ପାଇଁ କେତେ ଅର୍ଥ ଆବଶ୍ୟକ, ତାହା ଜାଣିବା ପାଇଁ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗକୁ ଲେଖାଯାଇଛି ଚିଠି । ଜୁଲାଇ ୩୧ ସୁଦ୍ଧା ସମସ୍ତ ବିଭାଗ ଅତିରିକ୍ତ ବଜେଟ ପାଇଁ ସେମାନଙ୍କ ଡିମାଣ୍ଡ ପଠାଇବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ସରକାରଙ୍କ ଫୋକସରେ ରହିଛି କୃଷକଙ୍କ ଆୟ ବୃଦ୍ଧି, ପାନୀୟ ଜଳ ଯୋଗାଣ, ଉତ୍ତମ ସ୍ବାସ୍ଥ୍ୟ ସୁବିଧା, ଉନ୍ନତମାନର ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ ଓ ଭିତ୍ତିଭୂମି । ଏହାସହ ମୂଳ ବଜେଟ ପରେ ସରକାର ଘୋଷଣା କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ ମଧ୍ୟ ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯିବ ।

ମୌସୁମୀ କିମ୍ବା ଶୀତ ଅଧିବେଶନରେ ଆସିପାରେ ଅତିରିକ୍ତ ବଜେଟ । ଭିତ୍ତିଭୂମି ଓ ଯୋଜନା ବାବଦରେ ଏଥର ବଢିଛି ଖର୍ଚ୍ଚ ହାର । ତେଣୁ ୨୦୨୩-୨୪ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ଅତିରିକ୍ତ ବଜେଟ ପାଇଁ କାହାର କେତେ ଅର୍ଥ ଆବଶ୍ୟକତା ଅଛି ତାହା ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଫୋକସରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସମସ୍ତଙ୍କୁ ସ୍ବାସ୍ଥ୍ୟ ସୁବିଧା, କୃଷକଙ୍କ ଆୟ ବୃଦ୍ଧି, ଗରିବୀ ହାର ହ୍ରାସ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ ଭିତ୍ତିଭୂମି ଉନ୍ନୟନ ରହିଛି । ମିଶନଶକ୍ତି ଜରିଆରେ ମହିଳା ସଶକ୍ତୀକରଣକୁ ବି ସରକାର ପ୍ରାଧାନ୍ୟ ଦେଉଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧି ୬.୩ ପ୍ରତିଶତ ଆଶା କରାଯାଉଥିବା ବେଳେ ରାଜ୍ୟର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବ । ରାଜସ୍ବ ସଂଗ୍ରହ ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ବୃଦ୍ଧି ହୋଇଥିବାରୁ ଅର୍ଥର ଅଭାବ ନାହିଁ । ଖର୍ଚ୍ଚ କ୍ଷେତ୍ରରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ହୋଇଛି । ଅତିରିକ୍ତ ବଜେଟରେ ଲୋକଙ୍କ ଆବଶ୍ୟକତା ପୂରଣ ଦିଗରେ ଧ୍ୟାନ ଦିଆଯିବ ବୋଲି ବିଶେଷଜ୍ଞ ଆଶା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଲୋକଙ୍କ ନିକଟତର ହେଉଛି । 5T ସଚିବ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦେଖି ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବି ଘୋଷଣା ହେଉଛି । ଏଥିପାଇଁ ଦରକାର ପଡ଼ୁଥିବା ଅର୍ଥର ବ୍ୟବସ୍ଥା ଅତିରିକ୍ତ ବଜେଟରେ ରଖାଯିବ । ଲୋକଙ୍କ ଜୀବନଜୀବିକା ଉପରେ ଗୁରୁତ୍ବ ଦେଇ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ତୁରନ୍ତ ସାରିବା ଉପରେ ବି ସରକାର ଗୁରୁତ୍ବ ଦେଉଛନ୍ତି । ତେବେ ଯେଉଁ ବିଭାଗ ଜୁଲାଇ ୩୧ ସୁଦ୍ଧା ମୂଳ ବଜେଟରେ ହୋଇଥିବା ଅଟକଳର ୨୫ ପ୍ରତିଶତ ଖର୍ଚ୍ଚ କରିନଥିବେ, ସେମାନଙ୍କୁ ଅତିରିକ୍ତ ବଜେଟରେ ଆଉ ଅର୍ଥ ମିଳିବ ନାହିଁ ।

ବାସ୍ତବ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ବଜେଟରେ ବିଭାଗ ଗୁଡ଼ିକ ନିଜର ଡିମାଣ୍ଡ ରଖିବାକୁ ଅର୍ଥ ବିଭାଗ ପରାମର୍ଶ ଦେଇଛି । ଯାହା ଫଳରେ ବଜେଟରେ ହୋଇଥିବା ଖର୍ଚ୍ଚ ଅଟକଳ ଠିକ୍ ସମୟରେ ଖର୍ଚ୍ଚ ହୋଇପାରିବ ଓ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରିବ ।