ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି, ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ସମ୍ଭାବନା ରହିଛି । ଏଥିପାଇଁ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଟକ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ବର୍ଷା ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବ। ଆଜିଠୁ ପଶ୍ଚିମାଝଡ଼ ପ୍ରଭାବ କମିବାକୁ ଥିବାବେଳେ ଟ୍ରପଲାଇନ୍ ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଆସନ୍ତାକାଲିଠୁ ଧିରେଧିରେ ତାପମାତ୍ରା ବୃଦ୍ଧି ପାଇବ । ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।