spot_img

Latest Posts

ବଢିବ ବିଧାନସଭା ଆସନ, ବଢିବ କି ମହିଳାଙ୍କ ପ୍ରତିନିଧିତ୍ବ ?

ଭୁବନେଶ୍ବର : ବଢିବ ବିଧାନସଭା ଆସନ । ବଢିବ କି ମହିଳା ପ୍ରତିନିଧ୍ବତ୍ବ ? ୨୦୨୯ରେ ଲାଗୁ କରାଯାଉ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା । ସଂସଦରେ ମହିଳା ବିଲ ପାସ ପରେ କାହିଁକି ସଂରକ୍ଷଣ କରାଯାଉନାହିଁ ଲାଗୁ ? ସୀମା ପୁନଃନିର୍ଦ୍ଧାରଣ ଓ ବିଧାନସଭା ଆସନ ସଂଖ୍ୟା ବଢିବା ନେଇ ମୁଖ୍ୟମନ୍ତ୍ରୀ ସଙ୍କେତ ଦେବା ପରେ ଓଡିଶାରେ ରାଜନୀତିକୁ ଉଷ୍ମ କରିଛି ମହିଳା ସଂରକ୍ଷଣ ପ୍ରସଙ୍ଗ। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ମହିଳାମାନଙ୍କୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବାକୁ ନବୀନ ପଟ୍ଟନାୟକ ସବୁବେଳେ ଉଦ୍ୟମ କରି ଆସୁଛନ୍ତି । ୨୦୧୮ ମସିହାରେ ଓଡିଶା ବିଧାନସଭାରେ ଐତିହାସିକ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବ ପାରିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ ନବୀନ । କେବଳ ସେତିକି ନୁହେଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଦଳ ମୁଖିଆଙ୍କୁ ନବୀନଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ ଭେଟି ଦାବି କରିଥିଲେ । ଏବେ ଯଦି ସୀମା ପୁନଃନିର୍ଦ୍ଧାରଣ ଓ ବିଧାନସଭା ଆସନ ବୃଦ୍ଧି କରିବାକୁ ସରକାର ଚାହୁଁଛନ୍ତି  ତାହେଲେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ବିଜେଡି ଦାବି କରିଛି ।

୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଗଲେ ବିଧାନସଭାରେ ମହିଳାଙ୍କ ପ୍ରତିନିଧ୍ବତ୍ବ ୩ ଗୁଣା ବୃଦ୍ଧି ପାଇବ । ଯଦି ବିଧାନସଭା ଆସନ ୨୦୦କୁ ବୃଦ୍ଧି କରାଯିବ ତେବେ ପାଖାପାଖି ୬୬ଜଣ ମହିଳା ବିଧାନସଭାରେ ପ୍ରତିନିଧ୍ବତ୍ବ କରିବେ ।  କଂଗ୍ରେସ କହିଛି ସୀମା ପୁନଃନିର୍ଦ୍ଧାରଣ ବିଜେପି ସରକାର କରିପାରିବ ନାହିଁ । ସଂସଦରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବ୍ୟବସ୍ଥା ଆଗ ଲାଗୁ କରୁ ବିଜେପି ସରକାର। ବିଜେପି କହିଛି ସୀମା ପୁନଃନିର୍ଦ୍ଧାରଣ ସହ ୩୩ ପ୍ରତିଶତ ମହିଳା ସଂରକ୍ଷଣ ୨୦୨୯ରେ ଲାଗୁହେବ । ଅନ୍ୟପଟେ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଭିନ୍ନ ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ସୀମା ପୁନଃନିର୍ଦ୍ଧାରଣ ହେଲେ କେଉଁ ନିର୍ବାଚନମଣ୍ଡଳି ଭାଙ୍ଗିବ । କାହାକୁ ନୂଆ ନିର୍ବାଚନମଣ୍ଡଳି କରାଯିବ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଦାବି ଜୋର ଧରିଛି ।

Latest Posts

Don't Miss