ବଦଳୁଛି ଓଡ଼ିଶାର ଜୀବନଧାରଣ ମାନଦଣ୍ଡ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ କମୁଛି ଗରିବୀ। ସାମଗ୍ରିକ ଅର୍ଥନୈତିକ ବିକାଶ ଯୋଗୁଁ ଲଗାତର ଦାରିଦ୍ର୍ୟ ହ୍ରାସ କରି ପୂରା ଦେଶରେ ଉଲ୍ଲେଖନୀୟ ପ୍ରଦର୍ଶନୀ ଜାରି ରଖିଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ଅର୍ଥନୈତିକ ପରିଚାଳନା ଓ ସଫଳ  ଜନକଲ୍ୟାଣ ଯୋଜନା ଯୋଗୁଁ ଦାରିଦ୍ର୍ୟ ହ୍ରାସରେ ଅଭୂତପୂର୍ବ ପରିବର୍ତ୍ତନ ଆଣିପାରିଛି ଓଡ଼ିଶା। ନୀତି ଆୟୋଗଙ୍କ ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଦ୍ରୁତ ଦାରିଦ୍ର୍ୟ ହ୍ରାସ କରିବା ଯୋଗୁଁ ୨୦୩୦ ବେଳକୁ ଓଡିଶା ଗରିବ ମୁକ୍ତ ହୋଇଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ବଦଳୁଛି ଓଡ଼ିଶାର ଜୀବନଧାରଣ ମାନଦଣ୍ଡ। ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ମୁହଁରେ ଫୁଟାଉଛି ହସ। ଗରିବୀ କବଳରୁ ମୁକୁଳୁଛି ଓଡ଼ିଶା। ଦ୍ରୁତ ହ୍ରାସ ପାଉଛି ଦାରିଦ୍ର୍ୟ। ସ୍ଥିର ସରକାର। ନିରବଚ୍ଛିନ୍ନ ଲୋକାଭିମୁଖୀ ଯୋଜନା। ଲୋକଙ୍କ ପେଟ ପୂରୁଛି, ପକେଟ ପୂରୁଛି । ଲଗାତର ଭାବେ କମିଚାଲିଛି ଦାରିଦ୍ର୍ୟ। ଗରିବୀ ଦୂରାଇବାରେ ପୂରା ଦେଶରେ ଓଡ଼ିଶା କରିଛି ଭଲ ପ୍ରଦର୍ଶନ। ଦେଶର ଦାରିଦ୍ର୍ୟ ହାର ହ୍ରାସ ୧୧.୨୮ ପ୍ରତିଶତ ଥିବା ବେଳେ ଓଡ଼ିଶାର ୧୧.୦୭ ପ୍ରତିଶତ ରହିଛି ।

୨୦୦୫-୦୬ରେ ଦାରିଦ୍ର୍ୟ ହାର ୬୩.୮୪  ପ୍ରତିଶତ ଥିଲା। ଯାହା ୨୦୧୫-୧୬ରେ ୨୯.୩୪ ପ୍ରତିଶତକୁ ଖସିଥିଲା। ପୁଣି ୨୦୧୯-୨୧ରେ ଏହା ୧୧.୦୭ ପ୍ରତିଶତକୁ କମିଛି । ଓଡ଼ିଶାରେ ଏକକୋଟିରୁ ଅଧିକ ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛି। ନୀତି ଆୟୋଗର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଲଗାତର ଭାବେ ସାରା ଦେଶରେ ଗରିବୀ ହ୍ରାସ କରିବାରେ ଓଡ଼ିଶା ରେକର୍ଡ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ବ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶାସକ ବିଜେଡି କହିଛି।

ଟଙ୍କିକିଆ ଚାଉଳ, ବିଜୁ ପକ୍କା ଘର ଯୋଜନାରେ କଚ୍ଚାଘରକୁ ପକ୍କାଘର କରିବା, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତୀକରଣ, ଉନ୍ନତ ଭିତ୍ତିଭୂମି, ବ୍ୟାପକ ପୁଞ୍ଜିନିବେଶ ଜରିଆରେ ନିଯୁକ୍ତି ସୃଷ୍ଟି ଓ ବିଭିନ୍ନ ସମାଜ କଲ୍ୟାଣ ଯୋଜନା ଯୋଗୁଁ ରାଜ୍ୟରେ ଲଗାତର ଭାବେ ଦାରିଦ୍ର୍ୟ କମୁଛି । ସରକାରଙ୍କ ସଫଳ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚିବା ଫଳରେ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ଦୂର ହୋଇପାରିଛି । ଯାହା ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ପାଇଁ ବେଶ ସହାୟକ ହୋଇଛି ବୋଲି  ଅର୍ଥନୈତିକ ବିଶେଷଜ୍ଞ କହିଛନ୍ତି । ଏପରି ଧାରା ଜାରି ରଖିଲେ ୨୦୩୦ ବେଳକୁ ଓଡ଼ିଶାରୁ ଗରିବୀ ଇତିହାସ ହୋଇପରିବ ବୋଲି ବିଶେଷଜ୍ଞ କହିଛନ୍ତି।