ଏପ୍ରିଲ ୨ ଯାଏଁ ଭିଜିବ ଓଡିଶା, ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଏପ୍ରିଲ ୨ ଯାଏଁ ତୁହାକୁ ତୁହା ଭିଜିବ ଓଡ଼ିଶା । ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ବର୍ଷା ଓ ଘଡଘଡି ବିଜୁଳି ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ପାଇଁ ଏହି ସର୍ତକର୍ତା ଜାରି କରାଯାଇଛି ।

ରାଜ୍ୟରେ ଗତ ୩୦ ମିନିଟରେ ୫ ହଜାର ୪୦୦ ଥର ବଜ୍ରପାତ ହୋଇଛି । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସର୍ବାଧିକ ବଜ୍ରପାତ ଘଟି ୫ ଜଣଙ୍କ ମୃତ ହୋଇଛି । ସେପଟେ ଆଉ ଏକ ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାରେ କିଛି ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏପ୍ରିଲ ତିନି ତାରିଖରୁ ପୁଣି ବୃଦ୍ଧି ପାଇବ ତାପମାତ୍ରା । ତେବେ ଗତ ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।