ସାରା ରାଜ୍ୟରେ ଲଗାଣ ବର୍ଷା, ବନ୍ୟା ସମ୍ଭାବନା

Flood

ଭୁବନେଶ୍ୱର: ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୧୩ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ଝାରସୁଗୁଡା, ବରଗଡ, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ, ଦେବଗଡ ଓ ଅନୁଗୁଳକୁ ରେର୍ଡ ଆଲର୍ଟ ଜାରି କରାଯାଇଛି ।

ସେହିଭଳି ୧୧ଟି ଜିଲ୍ଲାରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, କନ୍ଧମାଳ, ନୂଆପଡା ଓ ନବରଙ୍ଗପୁର । ଅନ୍ୟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁ ବଢୁଛି ବନ୍ୟା ଭୟ । ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ବନ୍ୟା ଆଶଙ୍କା କରାଯାଇଛି । ଜଳକା ଓ ବୈତରଣୀରେ ଜଳସ୍ତର ବଢୁଛି । ଜଳ ନିଷ୍କାସନରେ ଅସୁବିଧା ହେବ ବୋଲି ଜଳସଂପଦ ବିଭାଗ ସ୍ପଷ୍ଟ କରିଛି । ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ବହୁ ସ୍ଥାନକୁ ଏନଡିଆରଏଫ୍ ଓ ଓଡ୍‌ରାଫ୍‌ ପଠାଯିବା ସହ ଶୁଖିଲା ଖାଦ୍ୟ ମହଜୁଦ୍ ରଖାଯାଇଛି । ବନ୍ୟା ଆଶଙ୍କା ଥିବା ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଦିଆଯାଇଛି । ସେପଟେ ରାଜ୍ୟରେ ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ହାରାହାରି ୬ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

Leave a Reply