ଦିଲ୍ଲୀରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଜଣକ ନାଇଜେରିଆର ବୋଲି ଜଣାପଡିଛି । ସେ ଅନେକ ଦିନ ଧରି ଦିଲ୍ଲୀରେ ରହୁଥିଲେ । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ତିନିରେ ପହଞ୍ଚିଛି । ସେପଟେ କେରଳରେ ମଧ୍ୟ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ରାଜ୍ୟରେ ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ଜଣେ ଚିହ୍ନଟ ହେବା ଆତଙ୍କ ସୃଷ୍ଟି କରିଛି । ୟୁଏଇ ଫେରନ୍ତା ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୦ ବର୍ଷୀୟ ସଂକ୍ରମିତ ମାଲାପୁରମରେ ଚିକିତ୍ସିତ ହେଉଛନ୍ତି ।

ଜୁଲାଇ ୨୭ରେ ୟୁଏଇରୁ ଫେରି କୋଜିକୋଡ୍ ଏୟାରପୋର୍ଟରେ ଓହ୍ଲାଇଥିଲେ । କେରଳରେ ମଙ୍କିପକ୍ସ ସଂକ୍ରମିତ ସଂଖ୍ୟା ୫ରେ ପହଞ୍ଚିଛି । ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏଥିସହ ଦେଶରେ ୮ରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆମେରିକାର କାଲିଫର୍ଣ୍ଣିଆରେ ବଢ଼ିଛି ସଂକ୍ରମଣ ସଂଖ୍ୟା । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ସରକାର ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କାଲିଫର୍ଣ୍ଣିଆ ଆମେରିକାର ତୃତୀୟ ରାଜ୍ୟ, ଯେଉଁଠି ଏହି ଭାଇରସ୍‌କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।