୪୦ ଟଙ୍କାରୁ ଖସୁନି ପିଆଜ ଦର

ଭୁବନେଶ୍ବର: କମୁନି ପିଆଜ ଦର । ଅମଳ ପରେ ବି କିଲୋ ୪୦ ଟଙ୍କାରୁ ଖସୁନି । ଆଉ କେତେ ମହଙ୍ଗା ମାଡ଼ରେ ହନ୍ତସନ୍ତ ହେବେ ଖାଉଟି ? ଗତବର୍ଷ ୨୦ ଟଙ୍କାରେ ମିଳୁଥିବା ପିଆଜ ଏକାଥରକେ ୬ ମାସ ହେଲା ୪୦ ଟଙ୍କାରେ ସ୍ଥିର ରହିଛି । କେହି ପଦୁଟିଏ ବି ପାଟି ଫିଟାଉନାହାନ୍ତି । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ୧୫ ଦିନ ହେଲାଣି ପିଆଜ ରପ୍ତାନୀକୁ ଅନୁମତି ଦିଆଯାଇଛି ବୋଲି ଅଭିଯୋଗ କରିଛି ବ୍ୟବସାୟୀ ମହାସଂଘ। ଯାହାଯୋଗୁ ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ପିଆଜ ଯୋଗାଣ ବ୍ୟବସ୍ଥାକୁ ମନଇଚ୍ଛା ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି ।

କି ଅବସ୍ଥା ହେଲା ? କୁଆଡ଼େ ଗଲା ପିଆଜ କିଲୋ ୨୦ ଟଙ୍କା ଦର । ଶୀତଦିନରେ ପିଆଜ ଦର ୪୦ ଟଙ୍କାରେ ସ୍ଥିର । କେହି ଉଁ କି ଚୁଁ ପଦେ କହୁନାହାନ୍ତି । ଗତ ଅଗଷ୍ଟ ମାସରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକରେ ଲଗାଣ ବର୍ଷାରେ ପିଆଜ ନଷ୍ଟ ହେଲା । କ୍ବିଣ୍ଟାଲ୍ ୧୨୦୦ ଟଙ୍କାରେ ମିଳୁଥିବା ପିଆଜ ଅଚାନକ ୨୫୦୦ ଟଙ୍କା ଛୁଇଁଲା । ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କାରୁ ୮୦ ଟଙ୍କାରେ ପହଞ୍ଚିଲା । ସେତେବେଳେ କେନ୍ଦ୍ର ସରକାର ପିଆଜ ରପ୍ତାନୀ ବନ୍ଦ କରିଦେଲେ । କୁହାଗଲା ନଭେମ୍ବର ବେଳକୁ ନୂଆ ପିଆଜ ଅମଳ ହେଲେ ଦର ଖସିବ । ନଭେମ୍ବର ଯାଇ ଡିସେମ୍ବର ଶେଷ ଆଡ଼କୁ ନୂଆ ପିଆଜ ଆସିବା ପରେ ଦିନ କେଇଟା ୨୦ରୁ ୨୨ ଟଙ୍କା ହୋଇଛି କି ନାହିଁ ପୁଣି ଥରେ ବଢ଼ି ୪୦ ଟଙ୍କାରେ ସ୍ଥିର ରହିଛି । ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି, କେନ୍ଦ୍ର ସରକାର ପିଆଜ ରପ୍ତାନୀକୁ ଅନୁମତି ଦେବା ପରଠୁ ପିଆଜ ଦର ବଢ଼ୁଛି । କେନ୍ଦ୍ର ସରକାର ଜାଣିଶୁଣି କର୍ପୋରେଟ୍ ସଂସ୍ଥାଙ୍କୁ ଲାଭ ଦେବାକୁ ଏପରି ବ୍ୟବସ୍ଥା କରିଛନ୍ତି । ସାଧାରଣ ଖାଉଟିଙ୍କ ସ୍ବାର୍ଥକୁ ଆଖି ବୁଜି ଦେଉଛନ୍ତି ।

ଆଳୁ କିଲୋ ୨୦ କିନ୍ତୁ ପିଆଜ ଦର ଡବଲ୍ । ସାଧାରଣ ଖାଉଟିଙ୍କୁ ବହୁତ ବାଧୁଛି ଏହି ସମୀକରଣ। ଏପରି ମହଙ୍ଗା ମାଡ଼ରେ ଆଉ କେତେ ଦିନ ଶିକାର ହେବେ ଜାଣିପାରୁନାହାନ୍ତି । ଆଇଗଣିଆ ଗଦିରେ ବି ପାଇକରୀ ପିଆଜର ଦର କ୍ବିଣ୍ଟାଲ ଏବେ ବି ୨୪୦୦ ଟଙ୍କାରୁ ୨୫୦୦ ଟଙ୍କାରେ ବିକ୍ରି ହେଉଛି । ଗତବର୍ଷ ଏହି ଋତୁରେ ପିଆଜ ଦରଠାରୁ ୯୬ ପ୍ରତିଶତ ଅଧିକ ଥିଲା । ଯାହାର ଦର ବୃଦ୍ଧି ଘଟିଲା ସେ ଆଉ ପୂର୍ବ ଦରକୁ ଆସୁନାହିଁ । ଏବର କେନ୍ଦ୍ର ସରକାର ଲୋକଙ୍କୁ ଦରବୃଦ୍ଧିରୁ ନିସ୍ତାର ଦେବେ କଣ ଓଲଟି ଏଥିରେ ଅଭ୍ୟସ୍ତ ହେବାର ମାନସିକତା ଆଣୁଛନ୍ତି । ଲୋକେ ଏହାକୁ ଗ୍ରହଣ କରିବେ ନାହିଁ ।

ଲାଗୁଛି ଖାଉଟି ଏବେ ଚେତିଲେଣି । ଖାଉଟି ଚେତିଲେ ସମସ୍ତେ ହେବେ ସାବାଡ଼ । କାହିଁକି ପିଆଜକୁ ନେଇ ଫି’ ବର୍ଷ ଏପରି ଚଢ଼ା ଦର ହେଉଛି । ୬ ମାସ ତଳେ ୨୦ ଟଙ୍କାରେ ମିଳୁଥିବା ପିଆଜ ଘରୋଇ ବଜାରରେ ବିକ୍ରି ହେବା ସହ ରପ୍ତାନୀ ବି ହେଉଥିଲା । ଏବେ ଅମଳ ପରେ ଡବଲ୍ ଦାମ ହେବା ପଛର କାରଣ କଣ ? ଖାଉଟି ଗଣୁଥିବା ଡବଲ ଦାମର ଲାଭ ଚାଷୀ ପାଉଛନ୍ତି କି? ଯଦି ଚାଷୀ ପାଉନାହାନ୍ତି, ତାହେଲେ ମାତ୍ରାଧିକ ଲାଭ ନେଉଛି କିଏ ? ଏବେ ଖାଉଟି ମାଗିଲେଣି ଜବାବ।