ମେଡ଼ିକାଲ କଲେଜରେ ସିଟ ଦେବାକୁ କହି ଅନଲାଇନରେ ଠକିନେଲେ ୩ କୋଟି

1 min read

ବାଲେଶ୍ୱର: ମେଡ଼ିକାଲ କଲେଜରେ ସିଟ ଦେବାକୁ କହି ଅନଲାଇନ୍ ଠକେଇ । ବିଭିନ୍ନ ଆଶାୟୀଙ୍କଠାରୁ ୩ କୋଟି ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ । ଅଭିଯୋଗ ପରେ ଘଟଣାର ତଦନ୍ତ କରି ୨ ଜଣ ଠକଙ୍କୁ ଗିରଫ କଲା ବାଲେଶ୍ବର ସାଇବର ଥାନା ପୋଲିସ । ସେମାନଙ୍କ ନିକଟରୁ ଏଣ୍ଡୋଭର କାର, 6 ଟି ଦାମି ମୋବାଇଲ, ଏଟିଏମ୍ କାର୍ଡ, ନକଲି ଆଧାରକାର୍ଡ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲାର ସୁନିଲ ସାମନ୍ତରାୟ, ସୁମିତ ବିଶ୍ବାଳ ।

ଉଭୟେ ବି’ଟେକ ଗ୍ରାଜୁଏଟ୍ । ଏମାନେ ଭୁବନେଶ୍ବରରେ କନସଲଟାନ୍ସି ଅଫିସ କରି ବିଭିନ୍ନ ଲୋକଙ୍କୁ ଠକିଛନ୍ତି । ଅଭିଯୁକ୍ତମାନେ ଖନ୍ତାପଡାର ଶିକ୍ଷକ ଗୋକୁଳଚନ୍ଦ୍ର ନାୟକଙ୍କ ଝିଅକୁ ମେଡିକାଲ କଲେଜରେ ଆଡମିସନ କରାଇଦେବାକୁ କହି ଯୋଗଯୋଗ କରିଥିଲେ । NEETରେ ୭୦୦ ରୁ ୧୩୧ ନମ୍ବର ରଖିଥିଲେ ମଧ୍ୟ ଏମକେସିଜି ମେଡିକାଲ କଲେଜରେ ସିଟ୍ କରିଦେବାକୁ କହି ୫୦ ଲକ୍ଷ ଟଙ୍କା ଦାବି କରିଥିଲେ । ତେବେ ଶେଷରେ ୨୮ ଲକ୍ଷ ଟଙ୍କାରେ ଆଡମିସନ କରିଦେବାକୁ ସ୍ଥିର ହୋଇଥିଲା ।

ୟୁପିଆଇ ଓ ନଗଦ ଟଙ୍କାକୁ ମିଶାଇ ଅଭିଯୁକ୍ତମାନେ ୨୧ ଲକ୍ଷ ଟଙ୍କା ନେଇ ମେଡିକାଲ କଲେଜରେ ଡାକ୍ତରୀ ଆପ୍ରୋନ, ଷ୍ଟେଥୋ ଯୋଗାଇ ଦେଇଥିଲେ । ଏହି ଡ୍ରେସ୍ କୋଡ ସହିତ ଛାତ୍ରୀ ଜଣକ ୨ ଦିନ କଲେଜ ଯିବାପରେ ମିଛ ବୋଲି ଜାଣିପାରି ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ 5 ଟି ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି ପୋଲିସ । ୨୦୧୫ ମସିହାରୁ ଠକେଇ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ନାମରେ ଓଡିଶା ଓ ଝାଡଖଣ୍ଡର ୧୨ଟି ଥାନାରେ ଠକେଇ ମାମଲା ରହିଛି ।