ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଆସନ୍ତା ସପ୍ତାହରେ ଅବିଶ୍ୱାସ ପ୍ରସ୍ତାବ ଆଣି ପାରନ୍ତି ବିରୋଧି ଦଳ

1 min read

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଆରମ୍ଭ ହୋଇ ଦୁଇ ସପ୍ତାହ ହୋଇ ସାରିଥିଲେ ମଧ୍ୟ ପେଗାସସ ପ୍ରସଙ୍ଗକୁ ନେଇ ସଂସଦ ଠିକ୍ ଭାବେ କାମ କରିପାରୁନାହିଁ । ଏହାରି ଭିତରେ ଖବର ଆସୁଛି ଯେ, ବିରୋଧି ଦଳ ଏକାଠି ହୋଇ ଆସନ୍ତା ସପ୍ତାହରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି । ପେଗାସସ ଓ କୃଷି ଆଇନକୁ ନେଇ ବଡ଼ ବିତର୍କ ଲାଗି ବିରୋଧି ଦଳ ଲଗାତର ଭାବେ ଦାବି କରି ଆସୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ କହିବା ହେଉଛି ଜନହିତ ସହିତ ଜଡ଼ିତ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଅଛୁ ।

ସୂଚନା ଅନୁସାରେ ଅବିଶ୍ୱାସ ପ୍ରସ୍ତାବ ଆଣିବାର ଉପକ୍ରମ ତୃଣମୂଳ କଂଗ୍ରେସ,ଡିଏମକେ ଓ କଂଗ୍ରେସ ତରଫରୁ ହେବ । ଏହି ଉଦ୍ୟମରେ ଅନ୍ୟ ଦଳ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ବିରୋଧୀଙ୍କ ଦାବି ଯେ, ପେଗାସସ ସହିତ ଟିକା ଓ ଅନ୍ୟ ପ୍ରସଙ୍ଗ ଉପରେ ସରକାରଙ୍କୁ ନୋଟିସ ଦିଆଯାଇଛି କିନ୍ତୁ ସରକାର ବିରୋଧି ଦଳଙ୍କ ଦାବି ଉପରେ କୌଣସି ପ୍ରକାରର ଧ୍ୟାନ ଦେଉ ନାହାନ୍ତି । ସୂଚନାଯୋଗ୍ୟ ଯେ, ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇଛି ।

ଟିଏମସି ସାଂସଦ ଡେରିକ ଓ ବ୍ରାଏନ ସଂସଦର ଅଚଳାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ଏହାରି ଭିତରେ ତୃଣମୂଳ କଂଗ୍ରେସର ଜଣେ ସାଂସଦ ଶାନ୍ତନୁ ସେନଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ ଶାସକ ଦଳର ଅଭିଯୋଗ ଯେ, ବିରୋଧି ସଂସଦକୁ ଚଳାଇ ଦେଉନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଏବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଟଣାଓଟରା ଜାରି ଥିବା ବେଳେ ଯଦି ଆସନ୍ତା ସପ୍ତାହରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯାଏ ତେବେ ଗୃହ ଅବସ୍ଥା ନିଶ୍ଚିତ ଭାବେ ଉତ୍ତେଜନାପୂର୍ଣ୍ଣ ରହିବ ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡି ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରୁଛନ୍ତି ସମୀକ୍ଷା

Leave a Reply