ମାର୍କ ଜାଲିଆତି ମାମଲାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମେତ ସିବିଏସ୍‌ଇ ଅଧିକାରୀଙ୍କୁ ନୋଟିସ୍

ଭୁବନେଶ୍ୱର: ମାର୍କ ଜାଲିଆତି କରି ପିଲାଙ୍କ ଭବିଷ୍ୟତ ସହିତ ଖେଳିବା ଅଭିଯୋଗରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି କମିଶନ । ଆସନ୍ତା ୧୬ତାରିଖ ସାଢେ ୩ଟା ସମୟରେ ସ୍କୁଲର ଚେୟାରମ୍ୟାନ୍‌, ପ୍ରିନ୍ସିପାଲଙ୍କ ସମେତ ସିବିଏସ୍‌ଇର ଆଞ୍ଚଳିକ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କମିଶନଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ଗତ ୨ତାରିଖରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ନିଜ ଓକିଲଙ୍କୁ ପଠାଇଥିଲେ  । ହେଲେ ସିବିଏସ୍‌ଇ ଓ ଖୋର୍ଧା ଡିଇଓ କୌଣସି କାରଣରୁ ହାଜର ହୋଇନଥିଲେ । ଆସନ୍ତା ୧୬ତାରିଖରେ ନିର୍ଧାରିତ ସମୟରେ ବ୍ୟକ୍ତିଗତ ଭାବେ ଏହି ୪ଜଣ କମିଶନଙ୍କ କୋର୍ଟରେ ହାଜର ହେବ  । ନହେଲେ ସେମାନଙ୍କୁ ହାଜର କରାଇବାକୁ  କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି କମିଶନ ଅଧ୍ୟକ୍ଷା । କେବଳ ଏହି ଗୋଟିଏ ସ୍କୁଲ ନୁହେଁ ବରଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମଧ୍ୟ ଏକାଧିକ ବିଦ୍ୟାଳୟରୁ ସମାନ ଅଭିଯୋଗ ଆସିଛି । ଏବଂ ସେଗୁଡିକୁ କମିଶନ ତଦନ୍ତ ପରିସର ଭୁକ୍ତ କରିଥିବା ସେ ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଘରୋଇ ସ୍କୁଲରେ ମାର୍କ ଜାଲିଆତି: ହସ୍ତକ୍ଷେପ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

Leave a Reply