ସାବଧାନ ! ବଢୁଛି ସାଇବର ଅପରାଧର ଗ୍ରାଫ୍, ବର୍ଷକରେ ଦୁଇଗୁଣା ଠକେଇ

ଭୁବନେଶ୍ୱର: ବଢୁଛି ସାଇବର ଅପରାଧର ଗ୍ରାଫ୍ । ବର୍ଷକରେ ଦୁଇଗୁଣା ଠକେଇ । ଓଡ଼ିଶାରେ ଅଦୃଶ୍ୟ ଠକଙ୍କ ଆତଙ୍କ । ନିମିଷକେ ଗାଏବ କରି ଦେଉଛନ୍ତି କୋଟି କୋଟି ଟଙ୍କା । କେତେ ବେଳେ ଲୋଭନାୟ ଅଫର ତ କେତେବେଳେ ବ୍ଳାକମେଲିଂ କରି ଚାଲିଛି କାରବାର । ଇଣ୍ଟରନେଟ୍‌ ଜରିଆରେ ଲୋକଙ୍କୁ ବୋକା ବନାଇ ସାଇବର ଠକ ରାଜ୍ କରୁଛନ୍ତି । ଏମାନଙ୍କୁ ସାବାଡ୍‌ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

୨୦୨୦ରେ ସାଇବର ଠକ ରାଜ୍ୟରୁ ଲୁଟିଛନ୍ତି ୩୫ କୋଟି । ସାଇବର ଅପରାଧୀଙ୍କ ବିରୋଧରେ ଦଣ୍ଡବିଧାନ ସଂଖ୍ୟା କମ୍‌ ରହିଛି । ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ରାଜ୍ୟରେ ସାଇବର ଠକେଇ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ମନ୍ତ୍ରୀ କହିଥିଲେ, ସାଇବର ଅପରାଧ ରୋକିବାକୁ କ୍ରାଇମ୍‌ବ୍ରାଞ୍ଚ୍‌ କାମ କରୁଛି । ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଖୋଲିଛି ସାଇବର ଥାନା । ଆଗାକୁ ସବୁ ଜିଲ୍ଲାରେ ସାଇବର ଥାନା ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ୨୦୧୯ରେ ୧୪୭୫ଟି ସାଇବର ଠକେଇ ମାମଲା ରୁଜୁ ହୋଇଥିବା ବେଳେ ୧୬ କୋଟି ୯ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହରୁ ୩୪୨ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଥିବା ବେଳେ ୩୫ କୋଟି ୭ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ୩୬୬ ଜଣ ଗିରଫ ହୋଇଥିବା ବେଳେ ଜଣେ ବି ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ହୋଇନାହିଁ ।

ତେବେ ୨୦୨୧ ଆରମ୍ଭରୁ ଓଡ଼ିଶାରେ ଅଥୟ କଲେଣି ସାଇବର ଠକ । ୩ ମାସରେ ୩ କୋଟି ଗାଏବ ହେଲାଣି । କେବଳ ଭୁବନେଶ୍ୱରରୁ ୩ ମସାରେ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଲୁଟିଥିବା ସାଇବର ହେଲ୍ପ ଡେସ୍କ ରିପୋର୍ଟ ଦେଇଛି । ଓଟିପି, କାର୍ଡ, କ୍ୟୁଆର କୋଡ୍‌କୁ ସ୍କାନ କରି, ଲୋଭ, ଭୟ, ଗିଫ୍ଟ, ଆକାଉଣ୍ଟ ଭ୍ୟାଲିଡିଟି, କେୱାଇସି, କାର୍ଡ ବନ୍ଦ ହେବାର ଭୟ ଦେଖାଇ ସାଇବର ଅପରାଧୀ ଠକୁଛନ୍ତି । ସାଇବର ଅପରାଧକୁ ରୋକିବା ପାଇଁ ପ୍ରତି ଥାନାରେ ରିସେସ୍ପନ୍‌ସ ଡେସ୍କରେ ସଚେତନ ପୋଷ୍ଟର ଲଗାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି । ସାଇବର ଅପରାଧକୁ ରୋକିବାକୁ ହେଲେ ସଚେତନ ହେବା ହିଁ ଉପଯୁକ୍ତ ଉପାୟ ବୋଲି ବିଶେଷଜ୍ଞ କହିଛନ୍ତି ।

Leave a Reply