ନା ମିଳିଲା ଅକ୍ସିଜେନ ନା ଆମ୍ବୁଲାନ୍ସ: ମୃତ୍ୟୁ ପରେ ଝିଅର ଶବକୁ ବାଇକରେ ଆଣିଲା ବାପା

ଉତ୍ତର ପ୍ରଦେଶ: ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଯନ୍ତ୍ରଣାରେ ଚାଲିଗଲା ୧୯ ବର୍ଷିୟା ଝିଅର ଜୀବନ । ୟୁପିର ଫିରୋଜାବାଦରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗମ୍ଭୀର ଅବସ୍ଥାରେ ଝିଅକୁ ମୋଟର ସାଇକେଲରେ ସରକାରୀ ଟ୍ରୋମା ସେଣ୍ଟର ପହଞ୍ଚିଥିଲେ ବାପା । ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା କିନ୍ତୁ ସରକାରୀ ଟ୍ରୋମା ସେଣ୍ଟରରେ ଅକ୍ସିଜେନ ନଥିଲା । ସେଥିପାଇଁ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା ନାହିଁ ଏବଂ ପରେ ତାର ମୃତ୍ୟୁ ହୋଇଥିଲା ।

ଝିଅର ବାପା କାନ୍ଦି କାନ୍ଦି କହିଛନ୍ତି ଯେ, ଏଠାରେ ଅକ୍ସିଜେନ ନାହିଁ ଏବଂ ଚିକିତ୍ସା ମଧ୍ୟ ମିଳିପାରୁ ନାହିଁ । ଡାକ୍ତର ଝିଅକୁ ଦେଖିବା ପରେ ତାକୁ ମୃତ ଘୋଷଣା କରିଥିଲେ । ଅନେକ ଥର କହିବା ସତ୍ତ୍ୱେ ମଧ୍ୟ ମୃତ ଝିଅକୁ ନେବା ପାଇଁ ଆମ୍ବୁଲାନ୍ସ ଖଣ୍ଡେ ବି ଦିଆଗଲା ନାହିଁ । ଏହି ଘଟଣା ପରେ ଝିଅର ପରିବାରରେ ଶୋକର ଛାୟା ଖେଳିଯାଇଛି । ଫିରୋଜାବାଦରେ ବର୍ତ୍ତମାନ ସରକାରୀ ସ୍ୱାସ୍ଥ୍ୟ ସେବାର ଗୋଟିଏ ମାତ୍ର ଟ୍ରୋମା ସେଣ୍ଟର ରହିଛି । ଯାହାର ସ୍ଥିତି ନକହିଲେ ଭଲ ।

ଡାକ୍ତର ଝିଅକୁ ଦେଖିବା ପରେ ବାପାଙ୍କୁ କହିଥିଲେ ଯେ, ଏଠାରେ ଅକ୍ସିଜେନ ଉପଲବ୍ଧ ନାହିଁ । ଏହାରି ଭିତରେ ଝିଅର ମୃତ୍ୟୁ ହୋଇଯାଇଥିଲା । ବାପାଙ୍କ କହିବା ଅନୁଯାୟୀ ଝିଅକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ଡାକ୍ତରଖାନା ଆଣିବା ପରେ ଜଣାପଡ଼ିଲା ଯେ, ଏଠାରେ ନା ଅକ୍ସିଜେନ ଅଛି ନା କେହି ଦୁଃଖ ଶୁଣିବାକୁ ଅଛନ୍ତି ।

ନିୟମ ଅନୁସାରେ ମୃତ୍ୟୁ ପରେ ଶବକୁ ଆମ୍ବୁଲାନ୍ସ ବା ସରକାରୀ ଗାଡ଼ିରେ ପଠାଯାଇଥାଏ । କିନ୍ତୁ ସରକାରୀ ଟ୍ରୋମା ସେଣ୍ଟରରେ ଏଭଳି କୌଣସି ସୁବିଧା ନଥିଲା । ଏହା ପରେ ଅସହାୟ ବାପାକୁ ଝିଅର ଶବ ମୋଟର ସାଇକେଲରେ ଘରକୁ ନେବାକୁ ପଡ଼ିଥିଲା ।

Leave a Reply