ନନ୍ଦିଘୋଷ ବ୍ୟୁରୋ ; ଚାଷୀଙ୍କୁ ଠକିଦେଲେ ସରକାର । ଉଠୁନି ଧାନ, ହକ ପାଇବାରୁ ବଞ୍ଚିତ ଚାଷୀ । ୩ଟି ଜିଲ୍ଲାରେ ଏଯାଏଁ ଖୋଲିନି ମଣ୍ଡି । ଚାଷୀଙ୍କ ପାଇଁ ବିରୋଧୀଙ୍କ ଟାର୍ଗେଟରେ ସରକାର । ରାଜ୍ୟରେ ଧାନକିଣାରେ ଅବ୍ୟବସ୍ଥା ଲାଗିରହିଛି । ମଣ୍ତିରେ ପଡିରହିଛି ଚାଷୀଙ୍କ କଷ୍ଟୋପାର୍ଜିତ ଫସଲ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ଏଯାଏଁ ୩ଟି ଜିଲ୍ଲାରେ ଧାନକିଣା ଆରମ୍ଭ ହୋଇପାରିନାହିଁ । ଚାଷୀମାନେ ତାଙ୍କ ହକରୁ ବଂଚିତ ହେବାରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ ବିଜେଡି ଅଭିଯୋଗ କରିଛି ସରକାର ଚାଷୀଙ୍କୁ ଠକିଦେଇଛନ୍ତି । ଚାଷୀଙ୍କ ଅମଳ ଧାନ ନକିଣି ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଚାଷୀଙ୍କ ପାଇଁ ବିଜେଡି ଲଢେଇ କରୁଛି ଓ ଆଗକୁ ଜୋରଦାର ଆନ୍ଦୋଳନ କରିବ । ସେହିପରି ବିଜେଡି ସାଂସଦ ମାନସ ମଙ୍ଗରାଜ ଧାନକିଣା ଅବ୍ୟବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ଏପର୍ଯ୍ୟନ୍ତ ୩ଟି ଜିଲ୍ଲାରେ ମଣ୍ଡି ଖୋଲି ନଥିବାରୁ ଧାନ ସଂଗ୍ରହ ପରିସ୍ଥିତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି l ଏପର୍ଯ୍ୟନ୍ତ ମାତ୍ର ୩୦% ଧାନ କିଣାଯାଇଥିବା ବେଳେ ୪ଟି ଜିଲ୍ଲାରେ ମାତ୍ର ୧୮୮ ଜଣ ଚାଷୀ ଧାନ ବିକ୍ରି କରିଛନ୍ତି। ଭୁଲ ପରିଚାଳନାକୁ ସେ ଦାୟୀ କରିଥିବାବେଳେ ଚାଷୀଙ୍କ ପ୍ରତି ସରକାରଙ୍କ ଉଦାସୀନତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।
ଚାଷୀମାନେ ବିଜେପି ସରକାରରେ ଧାନବିକ୍ରି କରିବାରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ବରଗଡରେ ଗର୍ଜନ କରିଛି କଂଗ୍ରେସ । ମଣ୍ଡିରେ ଅବ୍ୟବସ୍ଥା, ସମୟରେ ଧାନ କ୍ରୟ ନହେବା, ଚାଷୀଙ୍କୁ ହକ ନମଳିବା, ୧୫୦ କ୍ବିଣ୍ଟାଲ ସୀମାବଦ୍ଧ କ୍ରୟ ନୀତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ତୁରନ୍ତ ସରକାର ଚାଷୀଙ୍କ ସମସ୍ୟାର ସାମାଧାନ ନକଲେ ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ଲାଗି ଚେତାବନୀ ଦେଇଛି କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ବିଜେପି । ମାର୍ଚ୍ଚ ମାସ ଯାଏଁ ଧାନ କିଣା ହେବ ବୋଲି ବିଜେପି ବିଧାୟକ ଲକ୍ଷ୍ମଣ ବାଗ କହିଛନ୍ତି । ଜାନୁଆରୀ ୧୦ ତାରିଖ ଭିତରେ ସବୁ ଜିଲ୍ଲାରେ ଧାନ କିଣା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ବେ ୩ଟି ଜିଲ୍ଲାରେ ଧାନ କିଣା ନହେବା ସରକାରଙ୍କ ଧାନ କିଣା ମାନସିକତା ଦର୍ଶାଉଛି । ଅନ୍ୟପଟେ ଧାନକିଣା ନେଇ ବିଧାନସଭାର ଷ୍ଟାଣ୍ଡିଂ କମିଟି ବୈଠକରେ କୋରମ ଅଭାବରୁ ଆଲୋଚନା ହୋଇପାରିନାହିଁ ।

