spot_img

Latest Posts

ଦୁଇଟି ସେଓ ଚୋରିକୁ ନେଇ ପାକିସ୍ତାନରେ ମାମଲା ରୁଜୁ

ନନ୍ଦିଘୋଷ ବ୍ୟୁରୋ  : ଆପଣ କାର, ସୁନା, ଲାପଟପ୍, ମୋବାଇଲ୍ ଓ ଟଙ୍କା ଚୋରି କଥା ଶୁଣିଥିବେ । କିନ୍ତୁ  ପାକିସ୍ତାନରେ ଏପରି ଏକ ଜିନିଷ ଚୋରି ପାଇଁ ମାମଲା ରୁଜୁ ହୋଇଛି, ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନାରେ ଦୁଇଟି ସେଓ ଏବଂ ଗୋଟିଏ ହ୍ୟାଣ୍ଡ ସାନିଟାଇଜର ଚୋରି ପାଇଁ ଏକ ମାମଲା ରୁଜୁ ହୋଇଛି। ପଞ୍ଜାବର ଲାହୋର ସହରରେ, ଜଣେ ସେସନ୍ କୋର୍ଟ ବିଚାରପତିଙ୍କ ଚାମ୍ବରରୁ ଦୁଇଟି ସେଓ ଏବଂ ଗୋଟିଏ ହ୍ୟାଣ୍ଡ ସାନିଟାଇଜର ଚୋରି ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ଲାହୋରର ଇସଲାମପୁରା ଥାନାରେ ଏହି ମାମଲାର ଏଫଆଇଆର ରୁଜୁ ହୋଇଛି।

ଇସଲାମପୁରା ପୋଲିସ ଷ୍ଟେସନର ଡ୍ୟୁଟି ଅଫିସର ଇମ୍ରାନ ଖାନଙ୍କ ଅନୁସାରେ ଅପରେସନ ୱିଙ୍ଗର ଅତିରିକ୍ତ ସେସନ୍ସ ଜଜଙ୍କ ରିଡରଙ୍କଠାରୁ ଏକ ମାମଲା ପଞ୍ଜିକରଣ କରିବା ପାଇଁ ଅନୁରୋଧ ପାଇଥିଲେ । ଯାହା ପରେ ସେମାନେ ଏକ ଏଫଆଇଆର ଦାଖଲ କରିଥିଲେ। ସେ କହିଛନ୍ତି ଯେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏଫଆଇଆରର ଏକ କପି ଏବଂ ସମ୍ବନ୍ଧିତ ରେକର୍ଡ ଏବେ ତଦନ୍ତ ୱିଙ୍ଗକୁ ପଠାଯାଇଛି।

ଏଫଆଇଆର ଅନୁଯାୟୀ, ଡିସେମ୍ବର ୫ତାରିଖରେ ଲାହୋରର ଅତିରିକ୍ତ ସେସନ୍ସ ଜଜ୍ ନୁର ମହମ୍ମଦ ବିସମିଲଙ୍କ ଚାମ୍ବରରୁ ଦୁଇଟି ସେଓ ଓ ହ୍ୟାଣ୍ଡୱାଶ୍ ବୋତଲ ଚୋରି ହୋଇଥିଲା। ଏଫଆଇଆରରେ କୁହାଯାଇଛି ଯେ ଚୋରି ହୋଇଥିବା ଜିନିଷଗୁଡ଼ିକର ମୋଟ ମୂଲ୍ୟ ହଜାରେ ଟଙ୍କା। ମାମଲାର ଆବେଦନକାରୀ, ଯିଏ ବିଚାରପତିଙ୍କ କୋର୍ଟରେ ରିଡର, ଏଫଆଇଆରରେ କହିଛନ୍ତି ଯେ ବିଚାରପତି ତାଙ୍କୁ ପୋଲିସ ଷ୍ଟେସନରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲାହୋର ପୋଲିସ ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୮୦ ଅନୁଯାୟୀ ମାମଲା ରୁଜୁ କରିଛି।

ପାକିସ୍ତାନ ଦଣ୍ଡ ସଂହିତାର ଧାରା ୩୮୦ ଚୋରି ସହିତ ଜଡିତ। ଏହି ଧାରା ଅନୁଯାୟୀ, ଚୋରି ପାଇଁ ଦୋଷୀ ସାବ୍ୟସ୍ତ ହେଲେ, ଅଭିଯୁକ୍ତଙ୍କୁ ସର୍ବାଧିକ ସାତ ବର୍ଷ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡିତ କରାଯାଇପାରିବ।

ଅଭିଯୋଗ ଦାଖଲ ହେବା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ କେହି କହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ବେଳେ କେହି କହି ପାକିସ୍ତାନର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।

Latest Posts

Don't Miss