ପାକିସ୍ତାନରେ ଅର୍ଥନୈତିକ ସଂକଟ: ଅଳ୍ପଦିନ ପରେ ହେବ ଦେବାଳିଆ

Pakistans Treasury Is Empty Difficult To Repay The Debt May Be Bankrupt

କରାଚି: ପାକିସ୍ତାନ ଭୋଗିବ ଶ୍ରୀଲଙ୍କା ଦଶା । ଖାଲି ହେଉଛି କାଙ୍ଗାଳ ପାକିସ୍ତାନର ରାଜକୋଷ । ପାକିସ୍ତାନ ଉପରେ ବଢ଼ି ବଢ଼ି ଚାଲିଛି ବିଦେଶୀ ଋଣଭାର । ଗୋଟିଏ ପଟେ ରାଜକୋଷରୁ ବିଦେଶୀ ମୁଦ୍ରା ସରି ଆସୁଥିବା ବେଳେ ଋଣ ବଢ଼ି ବଢ଼ି ଚାଲିଛି । ଯଦି ଏଭଳି ସ୍ଥିତି ଆଉ କିଛିଦିନ ଲାଗି ରୁହେ ତ ଦେବାଳିଆ ହୋଇଯିବ ପାକିସ୍ତାନ । ଶ୍ରୀଲଙ୍କା ଭଳି ପାକିସ୍ତାନ ଆର୍ଥିକ ସଂକଟ ସହ ଯୁଝିବା ପାଇଁ ବଡ଼ ଋଣ ସନ୍ଧାନରେ ଅଛି । ଯଦି କେଉଁଠୁ ବଡ଼ ପରିମାଣର ଋଣ ମିଳିଯିବ ତ ଭଲ । ନହେଲେ ଭେଳା ବୁଡ଼ିଯିବ ।

ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ବିଗତ ୨ ସପ୍ତାହ ହେଲା ପାକିସ୍ତାନର ଅର୍ଥନୀତି ବେଶ୍ ଖରାପ ଆଡ଼କୁ ଗତି କରୁଛି । ଯେଉଁଥିପାଇଁ ବଢ଼ି ଚାଲିଛି ଦେବାଳିଆ ଆଶଙ୍କା । ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ଅନୁସାରେ, ୪.୮୮ ଅରବ ଡଲାର ବକେୟା ରହିଛି । ଅନ୍ୟପଟେ ପାକିସ୍ତାନରେ ଚାଲୁ ଖାତା ନିଅଣ୍ଟ ଦ୍ରୁତ ଗତିରେ ବଢ଼ି ଚାଲିଛି । ଆଶଙ୍କା କରାଯାଉଛି ୨୦୨୨ ଜୁନ୍ ଶେଷ ସୁଦ୍ଧା ପାକିସ୍ତାନର ଚାଲୁ ଖାତା ନିଅଣ୍ଟ ୩ ଅରବ ଡଲାର ହୋଇଯିବ ।

Pakistans Treasury Is Empty Difficult To Repay The Debt May Be Bankrupt

ରିପୋର୍ଟ ଅନୁସାରେ, ୨୦୨୧ ଅଗଷ୍ଟ ସୁଦ୍ଧା ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାରରେ ୨୦ ଅରବ ଡଲାର ଥିଲା । ଯାହା ଦ୍ରୁତଗତିରେ ହ୍ରାସ ପାଇ ମେ ଆସୁ ଆସୁ ୧୦ ଅରବ ଡଲାର ହୋଇଯାଇଛି । ପାକିସ୍ତାନ ପାଖରେ ସରି ସରି ଆସୁଛି ବିଦେଶୀ ମୁଦ୍ରା ଭଣ୍ଡାର । ବିଗତ ୮ ସପ୍ତାହ ମଧ୍ୟରେ ଷ୍ଟେଟ ବ୍ୟାଙ୍କରୁ ୬ ଅରବ ଡଲାର ବିଦେଶୀ ମୁଦ୍ରା ସରି ଆସିଛି । ଏଭଳି ସ୍ଥିତିରେ ବଡ଼ ଧରଣର ସହାୟତା ନମିଳିଲେ ଦେବାଳିଆ ହୋଇଯିବ ପାକିସ୍ତାନ ।

ଏପରିକି ପାକିସ୍ତାନର ବଜେଟ୍ ନିଅଣ୍ଟ ୫ ଖରବ ଟଙ୍କା ହୋଇଯାଇଥିବା ବେଳେ ଚାଲୁ ଖାତା ନିଅଣ୍ଟ ୨୦ ଅରବ ଡଲାର ଥିବା ରିପୋର୍ଟରୁ ଜଣାପଡ଼ିଛି । ବିଗୁଡ଼ିଥିବା ଆର୍ଥିକ ସ୍ଥିତିକୁ ବଳ ଦେବାକୁ ଦରକାର ବଡ଼ ଧରଣର ବିଦେଶୀ ସହାୟତା । ନଚେତ୍ ଦେବାଳିଆ ହେବାରୁ ପାକିସ୍ତାନକୁ କେହି ବଞ୍ଚାଇ ପାରିବେ ନାହିଁ । ଦେଶରେ ବେରୋଜଗାରୀ ଆହୁରି ବଢ଼ିଯିବା ସହ ଦରଦାମ ବୃଦ୍ଧି ପାଇବ ।

Pakistans Treasury Is Empty Difficult To Repay The Debt May Be Bankrupt

ବିଗୁଡ଼ୁଥିବା ଆର୍ଥିକ ସଂକଟକୁ ଦେଖି ଆଇଏମଏଫକୁ ସହାୟତା ପାଇଁ ହାତ ପାତିଛନ୍ତି ପାକିସ୍ତାନ ସରକାର । ୩ ବିଲିୟନ ଡଲାର ସହାୟତା ପାକିସ୍ତାନ ମାଗିଛି । ଗୋଟିଏପଟେ ଦେଶର ଆର୍ଥିକ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଥିବା ବେଳେ ରାଜନୈତିକ କ୍ଷମତା ଯୁଦ୍ଧ ଜାରି ରହିଛି । ଅନାସ୍ଥା ଭୋଟରେ ହାରି କ୍ଷମତାଚ୍ୟୁତ୍ ଇମ୍ରାନ ବୁଧବାର ଇସଲାମାବାଦରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏପ୍ରିଲରେ ଇମ୍ରାନ ସରକାର ବିଦା ହେବା ପୂର୍ବରୁ ପାକିସ୍ତାନରେ ତୈଳ ସହ ଗ୍ୟାସ୍ ଦର କମିଥିଲା । ଏବେ ଶାହବାଜ ସରିଫଙ୍କ ସରକାରରେ ପାକିସ୍ତାନରେ ଗହମ ଓ ଚିନି ଅଭାବ ଦେଖା ଦେଇଛି । ବିଶେଷଜ୍ଞ କହୁଛନ୍ତି ଏଭଳି ସ୍ଥିତି ଲାଗି ରହିଲେ ପାକିସ୍ତାନକୁ ଶ୍ରୀଲଙ୍କା ଭଳି ଦଶା ଭୋଗିବାକୁ ପଡ଼ିପାରେ ।