ଫାଇନାଲ ପୂର୍ବରୁ ପିଚକୁ ନେଇ କ’ଣ କହିଲେ ଅଷ୍ଟ୍ରେଲିଆ କ୍ୟାପଟେନ୍ ?

ଅହମ୍ମଦାବାଦ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲରେ ପିଚକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। କିଛି ରିପୋର୍ଟରେ କୁହାଯାଇଛି ଯେ ମ୍ୟାଚ୍ ପୂର୍ବରୁ ପିଚ୍ ପରିବର୍ତ୍ତନ କରାଯାଇଥିଲା। ଫାଇନାଲ୍ ମ୍ୟାଚରେ ବି ପିଚକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ବିଶ୍ୱକପ୍ ୨୦୨୩ ର ଶେଷ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଷ୍ଟାଡିୟମରେ ମୋଟ ୧୧ ଟି ପିଚ୍ ଅଛି ଏବଂ ସେଥି ମଧ୍ୟରୁ ଗୋଟିଏରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଫାଇନାଲ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଯେତେବେଳେ ଅଷ୍ଟ୍ରେଲିଆ ଅଧିନାୟକ ପେଟ୍ କମିନ୍ସ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ । ତାଙ୍କୁ ପିଚ୍ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ କିଛି ଚିତ୍ର ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ ପେଟ୍ କମିନ୍ସ ପିଚ୍ ଆଡକୁ ଚାହିଁଥିବାର ନଜର ଆସିଛନ୍ତି।

ପିଚ୍ ବିଷୟରେ କମିନ୍ସ କହିଛନ୍ତି, ‘ପିଚ୍ ବହୁତ ଭଲ ଦେଖାଯାଉଛି। ମୁଁ ପିଚକୁ ପଢ଼ିବାରେ ବିଶେଷଜ୍ଞ ନୁହେଁ କିନ୍ତୁ ପିଚ୍ ଉପରେ ବହୁତ ପାଣି ଢଳାଯାଇଛି । ୱିକେଟ୍ ବହୁତ ଭଲ ଦେଖାଯାଉଛି ଏବଂ ଏହା ପୂର୍ବରୁ ବ୍ୟବହୃତ ହୋଇଛି ।

୧ ଲକ୍ଷ ୩୦ ହଜାର ଦର୍ଶକଙ୍କ ମଧ୍ୟରେ ହେବାକୁ ଥିବା ଶେଷ ମ୍ୟାଚ୍ ବିଷୟରେ ପେଟ୍ କମିନ୍ସ କହିଛନ୍ତି ଯେ, ପକ୍ଷପାତିତା ପୂର୍ଣ୍ଣ ଭିଡ଼ ଯୋଗୁ ସେ ଚିନ୍ତିତ ନାହାନ୍ତି । କିନ୍ତୁ ତାଙ୍କ ଦମଦାର ଖେଳ ସହ ସେ ଟିମ ଇଣ୍ଡିଆ ସମର୍ଥକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ଚାହାଁନ୍ତି ।