ପଟ୍ଟାଙ୍ଗୀ : ଫସରଫାଟିଲା ଆନ୍ଧ୍ରର ଷଡଯନ୍ତ୍ର । ପଟ୍ଟାଙ୍ଗୀ ବିଡିଓ ଏବଂ ତହସିଲଦାର ବୁଝାଇବା ପରେ ବୁଝିଲେ ଲୋକେ । ବିବାଦୀୟ କୋଟିଆ ପଞ୍ଚାୟତର ଫାଟୁସିନେରି ଅଞ୍ଚଳରେ ଓଡ଼ିଶା ସରକାରଙ୍କ ଫଳକ ଭାଙ୍ଗିବା ସହ ଲୋକଙ୍କୁ ଓଡ଼ିଶା ସରକାରଙ୍କ ଯୋଜନା ଗ୍ରହଣ ନକରିବା ନେଇ ଆନ୍ଧ୍ର ଏଜେଣ୍ଟ ଷଡ଼ଯନ୍ତ୍ର କରିଥିଲେ । ଏହାପରେ ବ୍ଲକ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ବୁଝିଥିଲେ । ଆନ୍ଧ୍ର ଏଜେଣ୍ଟ ଫାଟୁସିନେରି ପଞ୍ଚାୟତର ଡୋଲିଆମ୍ବା, ଫଗୁଣସିନେରି,ଫାଟୁସିନେରି, ହରମାଣ୍ଡେଙ୍ଗି ଆଦି ଗାଁରେ ବୈଠକ ଆୟୋଜନ କରିଥିଲା । ଏହା ପରେ କିଛି ଦୁର୍ବୃତ୍ତ ରାତିରେ ଗ୍ରାମ ଗୁଡିକରେ ଲାଗିଥିବା ଓଡ଼ିଶା ନାମ ଫଳକ ଗୁଡ଼ିକୁ ଭାଙ୍ଗି ଥିବା ଦେଖିବାକୁ ମିଳିଥିଲା । ପୁଣି ସୋମବାର ହରମାଣ୍ଡେଙ୍ଗି ଛକରେ ବିଭିନ୍ନ ଗ୍ରାମବାସୀଙ୍କୁ ଏକତ୍ରିତ କରି ବୈଠକର ଆୟୋଜନ କରିଥିଲେ ଆନ୍ଧ୍ର ଏଜେଣ୍ଟ । ସେଠାରେ ଓଡ଼ିଶାର ସମସ୍ତ ଯୋଜନା ଗୁଡିକୁ ଅଞ୍ଚଳବାସୀ ଗ୍ରହଣ କରିବୁ ନାହିଁ ବୋଲି ନିଷ୍ପତି ନିଆଯାଇଥିଲା । ଏହାପରେ ପଟ୍ଟାଙ୍ଗି ବିଡ଼ିଓ ଏବଂ ତହସିଲଦାର ମିଶି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।କିଛି ସମୟଧରି ଆନ୍ଧ୍ର ଏଜେଣ୍ଟ ମାନଙ୍କ ସହ ବଚସା ମଧ୍ୟ ହୋଇଥିଲା । ଲୋକମାନେ ଓଡ଼ିଶା ସରକାରଙ୍କ ଯୋଜନା ସମ୍ପର୍କରେ ବୁଝିଥିଲେ ବୋଲି ବିଡିଓ ସୂଚନା ଦେଇଛନ୍ତି ।

