ତେଜସ୍ୱୀ ଯାଦବଙ୍କୁ ଏତେ ବୁଦ୍ଧି ଦେଉଛନ୍ତି କେଉଁ ବିହାରୀ ନେତା…ଜାଣନ୍ତୁ, ପାର୍ଟି ପାଇଁ ପୁଅ ବିରୋଧରେ ଲଢିଥିଲେ ନିର୍ବାଚନ

1 min read

ପାଟନା: ବିହାର ନିର୍ବାଚନ ଫଳାଫଳ ଯାହା ବି ହେଉ । ଏହି ନିର୍ବାଚନରେ ଯୁବ ନେତାମାନଙ୍କ ପ୍ରାଧାନ୍ୟ ଅଧିକ ରହିଛି । ଭାଜପାର ଶ୍ରେୟାସୀ ସିଂ ହୁଅନ୍ତୁ କି ଏଲଜେପିର ଚିରାଗ ପାଶୱାନ । ସେହିଭଳି ବାମମେଣ୍ଟର କହ୍ନେୟା କୁମାର ହୁଅନ୍ତି କି ଆରଜେଡିର ତେଜସ୍ୱୀ ଯାଦବ । ଏ ସମସ୍ତଙ୍କ ମଧ୍ୟରୁ ତେଜସ୍ୱୀ ହିଁ ସର୍ବାଧିକ ଚର୍ଚ୍ଚାର କାରଣ ହୋଇଛନ୍ତି । ନିର୍ବାଚନ ଦିନ ଗଡ଼ିବା ସହ ତାଙ୍କ ନିର୍ବାଚନୀ ସଭାରେ ଯୁବ ବର୍ଗର ଅଧିକ ଭିଡ଼ ଜମିବାରେ ଲାଗିଛି ।

ହେଲେ ୨୦୧୫ ମସିହାରେ ପିତା ଲାଲୁ ଯାଦବ ଏବଂ ଜେଡିୟୁ ନେତା ନୀତିଶ କୁମାରଙ୍କ ହାତ ଧରି ରାଜନୀତି ମଇଦାନକୁ ଆସିଥିଲେ । ସାଙ୍ଗରେ ଥିଲେ ବଡ଼ ଭାଇ ତେଜ ପ୍ରତାପ । ପ୍ରଥମଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ରାଜନୀତିରେ ସେ କେତେ ବାଟ ଆଗକୁ ଯିବେ, ସେ ନେଇ ସନ୍ଦେହ ଉପୁଜିଥିଲା । ପରବର୍ତ୍ତୀ ସମୟରେ ଲାଲୁ ଯାଦବ ଜେଲ ଯାଇଥିଲା । ନୀତିଶ କୁମାର ଆରଜେଡ଼ି ହାତ ଛାଡି ଦେଇଥିଲେ । ତେଜସ୍ୱୀ-ତେଜ ପ୍ରତାପ-ରାବ୍ରି ଦେବୀଙ୍କ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା । ତେଣୁ ଆରଜେଡି ବୁଡୁଥିବା ଦଳ ବୋଲି କୁହାଯାଉଥିଲା ।

Bihar Assembly Election With Out Lalu Prasad Yadav

ହେଲେ ଏହି ସମୟରେ ଲାଲୁଙ୍କ ଦୂରଦୃଷ୍ଟି କାମରେ ଆସିଥିଲା । ୨୦୨୦ ନିର୍ବାଚନ ପୂର୍ବରୁ ଦଳକୁ ସଜାଡିବା ପାଇଁ ସେ ଉଦ୍ୟମ ଆରମ୍ଭ କରିଥିଲେ । ପୂର୍ବପରି ତେଜସ୍ୱୀ ହିଁ ଦଳର ଚେହେରା ହେବେ ବୋଲି ସ୍ପଷ୍ଟ କରିଥିଲେ । ପାରିବାରିକ ବିବାଦ ସତ୍ତ୍ୱେ ତେଜସ୍ୱୀକୁ ରାଜନୈତିକ କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ । ହେଲେ ବରିଷ୍ଠ ଏବଂ ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ଆରଜେଡିର ମୁଖ୍ୟ ଭାବେ କାହାକୁ ନିଯୁକ୍ତ କରାଯିବ ବୋଲି ଏକ ସମୟରେ ଚର୍ଚ୍ଚା ହେଲା । କେତେକ ରଘୁବଂଶ ପ୍ରସାଦ ସିଂଙ୍କ ନାଁ କଥା ଆଲୋଚନା କରିଥିଲେ । ହେଲେ ଲାଲୁ ସମସ୍ତଙ୍କୁ ଚକିତ କରିଥିଲେ ।

ଗତବର୍ଷ ନଭେମ୍ବର ମାସରେ ଲାଲୁ ଆରଜେଡିର ଜଣେ ପୁରୁଖା ନେତାଙ୍କୁ ଦଳର ସଭାପତି କରିଥିଲେ । ଦୀର୍ଘ ୩ ଦଶନ୍ଧି ଧରି ସକ୍ରିୟ ଥିବା ଜଗଦାନନ୍ଦ ସିଂଙ୍କୁ ଆରଜେଡି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଏହି ନିର୍ବାଚନରେ ଲାଲୁ ଯାଦବ ସକ୍ରିୟ ଅଂଶ ଗ୍ରହଣ କରୁନାହାନ୍ତି । ଯାହା ୩୦ ବର୍ଷରେ ପ୍ରଥମ । ତେଣୁ ସୁଦୂର ରାଞ୍ଚିରେ ରହି ମଧ୍ୟ ଲାଲୁ ଜଗଦାନନ୍ଦଙ୍କ ଜରିଆରେ ପାର୍ଟି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଛନ୍ତି ।

Bihar Election

ଯାଦବ ଏବଂ ମୁସଲମାନଙ୍କ ଦଳ କୁହାଯାଉଥିବା ଆରଜେଡିର ଜଣେ ରାଜପୁତଙ୍କୁ ନିଜର ପ୍ରମୁଖ ଭାବେ ନିଯୁକ୍ତ କରିଥିଲା । ଯାହା ଅନେକଙ୍କୁ ଚକିତ କରିଥିଲା । ବକ୍ସରରୁ ୧୯୯୬ ମସିହାରୁ ଜିତି  ଆସୁଥିବା ଲାଲମୁନି ଚୌବେଙ୍କୁ ୨୦୦୯ରେ ହରାଇଥିଲେ ଜଗଦାନନ୍ଦ । ସେହିପରି ଜଗଦାନନ୍ଦ ସିଂ ୨୦୧୦ରେ ନିଜ ପରିବାର ଅପେକ୍ଷା ପାର୍ଟିକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଏମିତିକି ତାଙ୍କ ବିପକ୍ଷରେ ଭାଜପା ପୁଅ ସୁଧାକର ସିଂଙ୍କୁ ଛିଡା କରିଥିଲା । ତଥାପି ସେ ଲଢିଥିଲେ । ଲାଲୁ ଯାଦବ ଏବଂ ତାଙ୍କ ପରିବାର ପ୍ରତି ସେ ଅତ୍ୟନ୍ତ ବିଶ୍ୱସ୍ତ ରହିଥିଲେ ।

ଯେଉଁ ସମୟରେ ରାବ୍ରି ଦେବୀ ମୁଖ୍ୟମନ୍ତ୍ରୀଭାବେ ବିହାରରେ ଶାସନ କରୁଥିଲେ । ସେ ସମୟରେ ଯେଉଁ କେତେଜଣଙ୍କ ରାଜନୈତିକ ବ୍ୟକ୍ତି ଏବଂ ଅଧିକାରୀ ଏଥିରେ ସହାୟତା କରୁଥିଲେ , ତନ୍ମଧ୍ୟରେ ଜଗଦାନନ୍ଦ ସିଂ ଅନ୍ୟତମ । ସେହିପରି ଆରଜେଡି ସହ ବାମମେଣ୍ଟ, କଂଗ୍ରେସକୁ ଆସନ ପ୍ରଦାନ ଇତ୍ୟାଦି ପ୍ରସଙ୍ଗରେ ଜଗଦାନନ୍ଦ ହିଁ ମଧ୍ୟସ୍ଥି ଭୂମିକା ଗ୍ରହଣ କରିଛନ୍ତି । ଡିଜିଟାଲ କ୍ୟାମ୍ପେନିଂକୁ ଛାଡି ଦେଲେ  ଅନ୍ୟ ସମସ୍ତ ପ୍ରସଙ୍ଗରେ ତେଜସ୍ୱୀ ଜଗଦାନନ୍ଦଙ୍କ ସର୍ବାଧିକ ପରାମର୍ଶ ନେଉଥିବା ଜଣାପଡ଼ିଛି ।

 

Leave a Reply