ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣା: ୪ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ମୋଟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୧ ତାରିଖରେ ପାଟଣାଗଡ଼ କୁସୁମପଡ଼ାରେ ରହୁଥିବା ବୁଲୁ ଯାନୀଙ୍କ ପରିବାରର ଛଅ ଜଣଙ୍କୁ ହତ୍ୟା କରାଯାଇଥିଲା । ଘଟଣାରେ ସଂପୃକ୍ତି ସନ୍ଦେହରେ ପୋଲିସ ପ୍ରଥମେ ପଡ଼ୋଶୀ ବାବୁଲା ଯାନୀର ଦୁଇପୁଅ ଭୋଳା ଯାନୀ ଏବଂ ଶିଵା ଯାନୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା । ଗତକାଲି ରାତିରେ ଭୋଳା ଏବଂ ଶିଵାର ବାପା ବାବୁଲା ଯାନୀ ଏବଂ ଭିଣୋଇ ସୁରେଶ ମାଝୀକୁ ପୋଲିସ କୌଣସି ସ୍ଥାନରୁ ଆଣି ଅଟକ ରଖି ତଦନ୍ତ କରୁଛି ।

ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦେଶକ୍ରମେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍‌ ଜ଼ିଲ୍ଲା ବାହାରକୁ ଯାଇଛି  । କିଛି ଅଭିଯୁକ୍ତ ଛତିଶଗଡ଼ ଯାଇ ଲୁଚିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତି ପ୍ରାୟ ୧୨ଟାରୁ ୨ଟା ମଧ୍ୟରେ ଘଟିଥିଲା । ପାଟଣାଗଡ଼ କୁସୁମପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି, ୩ ଶିଶୁ ସମେତ ନାତୁଣୀ ଶ୍ରୀୟାକୁ ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାର ପର୍ଦାଫାସ କରିପାରିନଥିବା ବେଳେ ୬ଟି ଦିଗକୁ ନେଇ ଚଳାଇଛି ତନାଘନା ।

ପ୍ରଥମ ନାମ କରଣକୁ ନେଇ ବିବାଦ, ଦ୍ଵିତୀୟ- ଚୋରା ବନ୍ଧୁକ ଲୁଚାଇ ରଖିବା, ତୃତୀୟ- ଚୋରି ସୁନା ଅଳଙ୍କାର ବା ସାମଗ୍ରୀ ଘରେ ଗାତ ଖୋଳି ଲୁଚାଇ ରଖିବା, ଚତୁର୍ଥ- ଖୁଡ଼ୀ ପୁତୁରା ପ୍ରେମ ସମ୍ପର୍କ, ପଞ୍ଚମ- ବୁଲୁ ଜାନୀର ବଡ଼ ପୁଅ ସଂଗ୍ରାମର ହତ୍ୟା ଘଟଣା ଓ ଷଷ୍ଠ – ପୂର୍ବରୁ ରହିଥିବା ଜମିବାଡ଼ି ବିବାଦ । ପୂର୍ବରୁ ବୁଲୁ ଜାନୀ ଅନେକ ବିବାଦରେ ସାମିଲ ଥିବା ବେଳେ ହତ୍ୟାପରେ ସେହି ଘର ଭିତରେ ଖୋଲା ଯାଇଥିବା ଦୁଇ ଫୁଟର ଗାତ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଗାତରେ ଚୋରା ବନ୍ଧୁକ ଲୁଚା ଯାଇଥିଲା ନା ଚୋରି ସୁନା ଅଳଙ୍କାର ଲୁଚା ଯାଇଥିଲା, ତାକୁ ନେଇ ପୋଲିସ ତଦନ୍ତ କରୁଛି । କ’ଣ ପାଇଁ ଘରେଗାତ ଖୋଳା ଯାଇଥିଲା ତାହା ସନ୍ଦେହ ଘେରରେ ଅଛି ।

Leave a Reply