ଦିଗପହଣ୍ଡି : ଗାଁକୁ ନାହିଁ ରାସ୍ତା । ବାଟ ହୁଡିଛି ବିକାଶ । ବଣ ପାହାଡ଼, ଆବଡ଼ା ଖାବଡ଼ା ରାସ୍ତା ଦେଇ ଯାଆସ କରୁଛନ୍ତି ଲୋକେ । ପକ୍କା ରାସ୍ତା ନଥିବାରୁ ପହଞ୍ଚିପାରୁନି ଜରୁରୀ ସେବା । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତାଲ ପଂଚାୟତର ଅନେକ ଗାଁକୁ ଆଜି ବି ରାସ୍ତା ଖଣ୍ଡିଏ ପହଞ୍ଚି ପାରିନାହିଁ । ଫଳରେ ଯମଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ପୂର୍ବ ସରକାରଙ୍କ ସମୟରେ ବୁରାତାଲରୁ ଉପର ବୁରାତାଲ ଗାଁକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା । ରାସ୍ତା କାମ ବି ଆରମ୍ଭ ହୋଇଥିଲା । ହେଲେ ଚାରି କିଲୋମିଟର ରାସ୍ତା ନିର୍ମାଣ କରି ସଂପୃକ୍ତ ଠିକାଦାର କାମ ବନ୍ଦ କରିଦେଇଛନ୍ତି । ଅଧପନ୍ତରିଆ ରାସ୍ତା ଯୋଗୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ ।
ବୁରାତାଲ ପଞ୍ଚାୟତର ଅନେକ ଗାଁକୁ ରାସ୍ତା ଖଣ୍ଡେ ନାହିଁ । ଫଳରେ ସାମାନ୍ୟ ରୋଗ ହେଲେ ବି ରୋଗୀଙ୍କୁ ଭାର କରି ମେଡିକାଲକୁ ନେଉଛନ୍ତି ଲୋକେ । ହେଲେ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦୁର୍ଗମ ଅଞ୍ଚଳର ଅନେକ ଗାଁକୁ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଛି । ଖୁବଶୀଘ୍ର କାମ ଆରମ୍ଭ ହେବ ଏବଂ ଯେଉଁ ସ୍ଥାନରେ କାମ ବନ୍ଦ ରହିଛି ସେହି କାମର ଅଗ୍ରଗତି ନେଇ କୋର୍ଟରେ ମାମଲା ପଡିଛି । କୋର୍ଟରୁ ନିର୍ଦ୍ଦେଶ ମିଳିବା ପରେ ସେହି କାମ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଏବଂ ପାତ୍ରପୁର ବିଡ଼ିଓ ।

