ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ମାଫିଆ ରାଜ୍ । ବେଧଡ଼କ ଲୁଟୁଛନ୍ତି ବାଲି । ଦିନ ଦ୍ଵିପ୍ରହରେ ପ୍ରଶାସନ ଆଖିରେ ଆଙ୍ଗୁଳି ଗେଞ୍ଜି କରୁଛନ୍ତି ବାଲି ଲୁଟ୍ । ହାତ ବାନ୍ଧି ବସିଛି ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ ବ୍ରାହ୍ମଣୀ ନଦୀ ପଠା ଅମୃତ ମଣୋହି ଘାଟରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଦୈନିକି ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରୁଛନ୍ତି । NGTର ନିୟମକୁ ଖୋଲାଖୋଲି କରୁଛନ୍ତି ଉଲ୍ଲଂଘନ । ପ୍ରତିବାଦ କଲେ ଜୀବନରୁ ମାରି ଦେବାକୁ ଦେଉଛନ୍ତି ଧମକ । ବେଆଇନ ବାଲି ଉତ୍ତୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପରିବେଶ ନଷ୍ଟ ହେବା ସହ ରାସ୍ତାଘାଟ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି ।
ବାଲିମାଫିଆ ମାନେ ମନଇଚ୍ଛା ଅମୃତ ମଣୋହିରୁ ବାଲି ଲୁଟୁଛନ୍ତି । ଯାହାଫଳରେ ନଦୀପଠା ପାର୍ଶ୍ୱବର୍ତ୍ତୀ ନଦୀବନ୍ଧ ଦୁର୍ବଳ ହେବା ସହ ନଦୀ ଗାଁମୁହାଁ ହେଲାଣି । ଅନେକ ସମୟରେ ନଦୀକୂଳିଆ ଚାଷ ଜମିକୁ ପାଣି ମାଡିଯିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି । ଲୋକମାନେ ପ୍ରଦୂଷଣ ଘେରରେ ବନ୍ଦୀ ହୋଇପଡିଛନ୍ତି । ଏନେଇ ଗ୍ରାମବାସୀ ଅନେକ ଥର ମାଇନିଂ ଅଫିସର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେଣି ହେଲେ ଫଳ ଶୂନ । ଯାହାର ଫାଇଦା ଉଠାଇ ଚାଷ ଜମିରୁ ମାଟି ଖୋଳିଲେଣି ମାଫିଆ । ଅନ୍ୟପଟେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ମାଇନିଂ ଅଫିସର । ମାଫିଆ ଦିନ ଦ୍ଵିପ୍ରହରେ ବେଆଇନ ବାଲି ଚାଲାଣ କରୁଛନ୍ତି ହେଲେ ପ୍ରଶାସନ ଚୁପ କଣ ପାଇଁ ? ମାଫିଆଙ୍କ ପ୍ରତି ପ୍ରଶାସନର ଅହେତୁକ ଅନୁକମ୍ପା କାହିଁକି ? ମାଫିଆ ଓ ଖଣି ବିଭାଗ ଅଧିକାରୀଙ୍କ ସଲାସୁତରାରେ ଚାଲୁଛି କି ବାଲି ଉତ୍ତୋଳନ ? ସରକାର ଏହା ଉପରେ କେବେ ଲଗାଇବେ ରୋକ ? ତାହା ଦେଖିବାକୁ ବାକି ରହିଲା ।

