ନନ୍ଦିଘୋଷ ବ୍ୟୁରୋ: ଗାଡି ଚାଳକଙ୍କ ଉପରେ ବଢିଲା ଚାପ । ଉପରମୁହାଁ ହେଲା ପେଟ୍ରୋଲ ଏବଂ ଡିଜେଲ ଦର । ଦେଶରେ ଏବେ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି । ପେଟ୍ରୋଲ ଦର ଲିଟର ପିଛା ୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଦେଶର ସର୍ବବୃହତ୍ତ ଘରୋଇ ତୈଳ ବିପଣନ କମ୍ପାନୀ ନାୟରା ଏନର୍ଜି ଅକ୍ଟୋବର ୩ ତାରିଖ ଶନିବାର ଦିନ ଏହି ବଡ ଝଟକା ଦେଇଛି । ତତ୍କାଳ ଭାବେ କମ୍ପାନୀ ଦେଶବ୍ୟାପୀ ଏହାର ପେଟ୍ରୋଲ ପମ୍ପଗୁଡିକରେ ଏହି ବର୍ଦ୍ଧିତ ମୂଲ୍ୟକୁ ଲାଗୁ କରିଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ, ଏକ ବିଶେଷ ସୂତ୍ରରୁ ଖବର ପାଇ ରିପୋର୍ଟ କରିଛି ଯେ, ଦେଶର ପ୍ରାୟ ୭,୦୦୦ରୁ ଅଧିକ ନାୟରା ଏନର୍ଜି ପେଟ୍ରୋଲ ପମ୍ପରେ ଖୁଚୁରା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି କରାଯାଇଛି । ଆଉ ଏହି ସଦ୍ୟତମ ବୃଦ୍ଧି ପରେ ନାୟରା ଏନର୍ଜିର ୭,୧୦୮ ପେଟ୍ରୋଲ ପମ୍ପରେ ଇନ୍ଧନ ମୂଲ୍ୟ ମହଙ୍ଗା ହୋଇଛି । ଫଳରେ ଭୋପାଳର ନାୟରା ଏନର୍ଜିର ପେଟ୍ରୋଲର ମୂଲ୍ୟ ଏବେ ଲିଟର ପିଛା ୧୧୯ ଟଙ୍କା ୫୪ ପଇସା ହୋଇଥିବା ବେଳେ ଡିଜେଲର ମୂଲ୍ୟ ଲିଟର ପିଛା ୧୦୩ ଟଙ୍କା ୬୪ ପଇସା ହୋଇଛି । ସେହିଭଳି ପୂର୍ବରୁ କମ୍ପାନୀ ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢାଇଥିଲା । ମାର୍ଚ୍ଚ ୨୬ ତାରିଖରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଥିଲା । ଏହାପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ମଧ୍ୟ ମୂଲ୍ୟ ବୃଦ୍ଧି କରିବା ଆରମ୍ଭ କରିଥିଲେ । ପଶ୍ଚିମ ଏସିଆରେ ଇରାନ ସହିତ ଆମେରିକା ଏବଂ ଇସ୍ରାଏଲ ସହ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ହର୍ମୁଜ ସଙ୍କଟ ଏବଂ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧିର ଏହା ପ୍ରଭାବ ଥିଲା । ହେଲେ ପରେ ଯେତେବେଳେ ଅଶୋଧିତ ତୈଳ ଦର ଟିକିଏ କମ ହୋଇଥିଲା, ସେତେବେଳେ ନାୟରା ଏନର୍ଜି ମାର୍ଚ୍ଚ ମାସରେ ବୃଦ୍ଧି ପ୍ରତ୍ୟାହାର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରିଥିଲା ।
ତେବେ କହିରଖଛୁ ଯେ, ଏଥିରେ ଆପଣ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ଦେଶର ସରକାରୀ ତେଲ କମ୍ପାନୀଗୁଡିକ ଏପର୍ଯ୍ୟନ୍ତ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିନାହାଁନ୍ତି । ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ପେଟ୍ରୋଲ ପମ୍ପଗୁଡିକରେ ଏବେ ବି ପୁରୁଣା ହାରରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ ହେଉଛି । ଓଡିଶାର ରାଜଧାନୀ ଭୁବନେଶ୍ବରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୮ଟଙ୍କା ୯୭ ପଇସାରେ ବିକ୍ରି ହେଉଥିବା ବେଳେ ଡିଜେଲ ୧୦୦ ଟଙ୍କା ୬୮ ପଇସାରେ ମିଳୁଛି ।

