୧୩୭ ଦିନ ପରେ ପୁଣି ବଢ଼ିଲା ତୈଳ ଦର

1 min read

ନୂଆଦିଲ୍ଲୀ: ପୁଣି ତେଲ ଦରରେ ଲାଗିଲା ନିଆଁ । ଦେଶରେ ନିର୍ବାଚନ ସରିବା ପରେ ପୁଣି ବଢ଼ିଲା ତେଲ ଦର । ନିର୍ବାଚନ ପାଇଁ ସ୍ଥିର ଥିବା ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୧୩୭ ଦିନ ପରେ ପୁଣି ବଢିଥିବା ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୫ ଟଙ୍କା ୪୧ ପଇସାରୁ ୯୬ ଟଙ୍କା ୨୧ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ୮୬ ଟଙ୍କା ୬୭ ପଇସା ଥିବାବେଳେ ଲିଟର ପିଛା ୮୭ ଟଙ୍କା ୪୭ରେ ପଇସାରେ ପହଞ୍ଚିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୯୬ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୯୧ ପଇସା ବୃଦ୍ଧି ପାଇଛି । ଦର ବୃଦ୍ଧି ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୭୮ ପଇସାରୁ ବୃଦ୍ଧି ପାଇ ୧୦୨ ଟଙ୍କା ୭୪ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୯୧ ଟଙ୍କା ୬୨ ପଇସାରୁ ବୃଦ୍ଧି ପାଇ ୯୨ ଟଙ୍କା ୫୩ ପଇସାରେ ପହଞ୍ଚିଛି । ସେପଟେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୮ ପଇସାରୁ ବୃଦ୍ଧି ହୋଇ ୧୧୦ ଟଙ୍କା ୮୨ ପଇସା ହୋଇଛି । ସେହିପରି ଡିଜେଲ ୯୪ ଟଙ୍କା ୧୪ ପଇସାରୁ ୯୫ ଟଙ୍କାରେ ପହଞ୍ଚିଛି ।